ଭଦ୍ରକ: ହିତାଧିକାରୀମାନଙ୍କ ମୃତ୍ୟୁ ପରେ ସେମାନଙ୍କ ଭତ୍ତା ଟଙ୍କା ଆତ୍ମସାତ କରୁଛନ୍ତି ସରକାରୀ ବାବୁ । ଏଥିରେ ସହୋଯାଗ କରୁଛନ୍ତି ନିର୍ବାଚିତ ଲୋକ ପ୍ରତିନିଧି। ଏକଥା ଆମେ କହୁନାହୁଁ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ଯକୁ ଆଧାର କରି ଅଭିଯୋଗ କରିଛନ୍ତି ଭଦ୍ରକ ଜିଲ୍ଲା କଲେଇ ପଞ୍ଚାୟତରେ ଥିବା ହିତାଧିକାରୀଙ୍କ ପରିବାର ଓ ଗ୍ରାମବାସୀ । ଏନେଇ ବିଭାଗୀୟ ଅଧିକାରୀ ଆମ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ନାରାଜ।
ଭଦ୍ରକ କଲେଇ ପଞ୍ଚାୟତରେ ଘଟିଛି ଏଭଳି ସାଙ୍ଘାତିକ ଘଟଣା । ଜଣେ ଦୁଇ ବର୍ଷ ତଳେ ମରିଥିବା ବେଳେ ଆଉଜଣଙ୍କର 6 ମାସ ତଳେ ମୃତ୍ୟୁ ଘଟିଛି । କିନ୍ତୁ ସରକାରୀ ଖାତା ଖତିଆନାରେ ଲାଗୁଛି ମୃତ ବ୍ୟକ୍ତିଙ୍କର ଟିପ ଚିହ୍ନ ଆଉ ଉଠୁଛି ଅର୍ଥ । ଯାହାର ସତ୍ୟ ଏବଂ ତଥ୍ୟ ଭିତ୍ତିକ ରିପୋର୍ଟ ଲାଗିଛି ଇଟିଭି ଭାରତ ହାତରେ ।
2018 ମସିହା ଜୁନ 18 ତାରିଖରେ ମୃତ୍ୟୁବରଣ କରିଥିଲେ ମାଳତୀ ସେନାପତି । ସେହିପରି 2019 ମସିହା ସେପ୍ଟେମ୍ବର ମାସ 19 ତାରିଖରେ ରମ୍ଭା ବନ୍ଧଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ସୂଚନା ଅଧିକାର ରିପୋର୍ଟ କହୁଛି ସ୍ବର୍ଗତ ମାଳତୀ ସେନାପତିଙ୍କ ନାମରେ ଆଜି ଯାଏଁ ଟିପ ଲାଗି ଟଙ୍କା ଉଠୁଥିବା ବେଳେ 2020 ଫେବୃୟାରୀ ମାସ ପର୍ଯ୍ୟନ୍ତ ଉଠିଛି ରମ୍ଭାଙ୍କ ଟଙ୍କା । ସେପଟେ ଉଭୟ ପରିବାର ଲୋକେ ମୃତ୍ୟୁ ପରଠୁ ଗୋଟିଏ ବି ଟଙ୍କା ପାଇ ନାହାଁନ୍ତି । ତେଣୁ ମୃତ ବ୍ୟକ୍ତିଙ୍କ ନାଁ ଦର୍ଶାଇ ଭତ୍ତା ଅର୍ଥକୁ ଦାୟିତ୍ବରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଖାଇଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ।
ସବୁ ତଥ୍ୟ ପଦାରେ ପଡ଼ିବା ପରେ ଯୋଗାଯୋଗରୁ ବିଛିନ୍ନ ହୋଇଯାଇଛନ୍ତି ସରକାରୀ ବାବୁ । ସ୍ଥିତି ଏମିତି ହୋଇଛି ଯେ ଫୋନ ସୁଇଚ ଅଫ କରିଦେଇଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ । ଅନ୍ୟପଟେ ଘଟଣା ଯଦି ସତ୍ୟ ହୋଇଥାଏ ତେବେ ସାଘାଂତିକ ଏବଂ ଲିଖିତ ଅଭିଯୋଗ ହେଲେ ହିଁ ତଦନ୍ତ ହେବ ବୋଲି କହିଛନ୍ତି ଭଦ୍ରକ ବିଡ଼ିଓ ।
ଭକ୍ଷକ ସାଜିଥିବା ରକ୍ଷକଙ୍କ ମୁଖା ଖୋଲାଯିବାକୁ ସାଧାରଣରେ ଜୋର ଧରିଛି ଦାବି । ଆଉ ମାସ ମାସ ଧରି ମୃତ ବ୍ୟକ୍ତିଙ୍କ ଅର୍ଥକୁ ଆତ୍ମସାତ କରୁଥିବା ସରକାରୀ ବାବୁଙ୍କ ବିରୋଧରେ ଆଗକୁ କଣ ହେଉଛି କାର୍ଯ୍ୟାନୁଷ୍ଠାନ ? ତାକୁ ଅପେକ୍ଷା ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ