ଭଦ୍ରକ: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ (Panchayat Election) ପ୍ରକ୍ରିୟା ଜାରି ରହିଛି । ଶେଷ ହୋଇଛି ନାମାଙ୍କନ ଦାଖଲ । ଫେବୃୟାରୀ 16 ରୁ 24 ମଧ୍ୟରେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପାଇଁ ପଡିବ ଭୋଟ । 26 ରୁ 28 ଯାଏଁ 3 ଦିନ ଧରି ବ୍ଲକ ମୁଖ୍ୟାଳୟରେ ଗଣତି ହେବ ଭୋଟ । ୱାର୍ଡ ମେମ୍ବର, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ସମେତ ସରପଞ୍ଚ ପଦବୀ ପାଇଁ ଏବେ ସରଗରମ ଗାଁ ରାଜନୀତି । ଗାଁ ଗାଁରେ ବସୁଛି ରାଜନୈତିକ ଦଳଙ୍କ ସଭାସମିତି । ପଡୁଛି ପ୍ରତିଶୃତିର ବର୍ଷା । ଗାଁ ମୁଖିଆ ପାଲଟିଛନ୍ତି ସର୍ବେସର୍ବା । ପଞ୍ଚାୟତର ବିକାଶ ପାଇଁ ଚାଲିଛି ଅଙ୍କକଷା । ଜିଲ୍ଲା ପରିଷଦ ଜୋନ ବିଜୟ ପାଇଁ ନେତା ରଚୁଛନ୍ତି ରଣନୀତି । ପୁଣି ବ୍ଲକ ଅଧ୍ୟକ୍ଷ କେମିତି ହାତେଇବେ ପ୍ରସ୍ତୁତ ହେଉଛି ପ୍ରୟାସ । ସେପଟେ ମତଦାନ ପୂର୍ବରୁ ମତଦାତା ପରଖୁଛନ୍ତି ନେତାଙ୍କ ପ୍ରତିଶୃତି । ଭୋଟ ପାଇଁ ସାରା ରାଜ୍ୟରେ ଜିଲ୍ଲାୱାରୀ ହେଉଛି ସମୀକ୍ଷା । 2017 ରେ କଣ ଥିଲା କେଉଁ ଜିଲ୍ଲାରେ ସ୍ଥିତି । କେଉଁ ଦଳ କରିଥିଲା ବାଜିମାତ, କିଏ ହୋଇଥିଲା ଚିତପଟାଙ୍ଗ... ଏହାକୁ ନେଇ ଆଜି ଆମର ସ୍ବତନ୍ତ୍ର ସେଗମେଣ୍ଟ ‘ପଞ୍ଚାୟତ ଟକ୍କର’ ରେ ଦେଖିବା ଆଜି ଭଦ୍ରକ ସ୍ଥିତି ।
ଭଦ୍ରକ ଜିଲ୍ଲା ସମ୍ପର୍କରେ...
ରାଜଧାନୀ ଭୁବନେଶ୍ବରରୁ ପ୍ରାୟ 130 କିମି ଦୂରରେ ଉତ୍ତର ଓଡିଶାର ଏକ ପ୍ରମୁଖ ଜିଲ୍ଲା ହେଉଛି ଭଦ୍ରକ । 1993 ମସିହାରେ ଗଠନ ହୋଇଥିବା ଏହି ଜିଲ୍ଲାରେ ସାଂସ୍କତିକ, ପର୍ଯ୍ୟଟନ ସହ ଭାଇଚାରାର ଏକ ନିଦର୍ଶନ ଦେଖିବାକୁ ମିଳେ । ଜିଲ୍ଲାର ଉତ୍ତରରେ ବାଲେଶ୍ବର ଅବସ୍ଥିତ ଥିବାବେଳେ, ଦକ୍ଷିଣରେ ଯାଜପୁର ଜିଲ୍ଲା ସହ ପୁଣ୍ୟତୟା ବୈତରଣୀ ପ୍ରବାହିତ ହେଉଛି, ପଶ୍ଚିମରେ କେନ୍ଦୁଝର ଓ ପୂର୍ବରେ ବଙ୍ଗୋପସାଗର ସହ କେନ୍ଦ୍ରାପଡା ଜିଲ୍ଲା ଅବସ୍ଥିତ । ଜିଲ୍ଲାରେ ଆରଧ୍ୟା ଦେବୀ ମାଁ ଭଦ୍ରକାଳୀ ଓ ଆରଡିରେ ବାବା ଆଖଣ୍ଡଳମଣୀ ପୂଜା ପାଉଛନ୍ତି । ଏହାସହ ଜିଲ୍ଲାର ଅନ୍ୟତମ ପ୍ରମୁଖ ଶକ୍ତିପୀଠ ହେଉଛି ଶ୍ରୀ ବୀରଞ୍ଚିନାରାୟଣ, ମା ଧାମରାଇ, ରକ୍ତତୀର୍ଥ ଇରମ ଓ ଲୁଣିଆ ସହିଦ ପୀଠରେ ପର୍ଯ୍ୟଟକଙ୍କ ଭିଡ ଲାଗେ । ଜିଲ୍ଲାରେ ପ୍ରତିଷ୍ଠା ହୋଇଛି ଧାମରା ବନ୍ଦର । ଯାହାକୁ ନେଇ ଜିଲ୍ଲା ଦେଶବିଦେଶରେ ପରିଚିତ । ଜିଲ୍ଲାର ମୁଖ୍ୟ ଅର୍ଥନୀତି ହେଉଛି କୃଷି । ବିଭିନ୍ନ କୃଷିଜାତ ଦ୍ରବ୍ୟ ଉତ୍ପାଦନ କରିଥାନ୍ତି ଜିଲ୍ଲାବାସୀ ।
ରାଜନୀତି ପ୍ରଭାବ...
ରାଜ୍ୟ ରାଜନୀତିରେ ଜିଲ୍ଲାର ପ୍ରଭାବ ବେଶ ଯଥେଷ୍ଟ । ଏହି ଜିଲ୍ଲାରେ ଅନେକ ଦିଗଜ ରାଜନେତା ଜନ୍ମ ହୋଇଛନ୍ତି । ଜିଲ୍ଲା ରାଜ୍ୟକୁ 2 ଜଣ ମୁଖ୍ୟମନ୍ତ୍ରୀ ଦେଇଛି । ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ଏହି ଜିଲ୍ଲାରେ ଜନ୍ମ ହୋଇଥିଲେ । ଏହାସହ 1977 ମସିହାରେ ନୀଳମଣି ରାଉତରାୟ ମଧ୍ୟ ଏହି ଜିଲ୍ଲାରୁ ପ୍ରତିନିଧିତ୍ବ କରିଥିଲେ । ଉଭୟ ମୁଖ୍ୟମନ୍ତ୍ରୀ ଜିଲ୍ଲା ସହ ରାଜ୍ୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ଏହାସହ ବର୍ତ୍ତମାନ ସୁଦ୍ଧା ରାଜ୍ୟ ରାଜନୀତିରେ ଜିଲ୍ଲାରେ ପ୍ରଭାବ ରହିଆସିଛି ।
ଭଦ୍ରକ ଅବସ୍ଥିତି...
2011 ଜଣଗଣନା ଅନୁସାରେ ଭଦ୍ରକ ଜିଲ୍ଲାର ମୋଟ ଜନସଂଖ୍ୟା ହେଉଛି 15 ଲକ୍ଷ 63 ହଜାରରୁ ଅଧିକ । ଜିଲ୍ଲାରେ ମୋଟ 7 ଟି ବ୍ଲକ ରହିଥିବା ବେଳେ, 5 ଟି ବିଧାନସଭା ଆସନ ରହିଛି । ଏହାସହ ମୋଟ ଜିଲ୍ଲା ପରିଷଦ ଜୋନ ହେଉଛି 28 ଟି । 218 ଗ୍ରାମ ପଞ୍ଚାୟତ ଥିବା ବେଳେ, ୱାର୍ଡ ସଂଖ୍ୟା ହେଉଛି 3 ହଜାରୁ ଅଧିକ । ଜିଲ୍ଲାରେ ପ୍ରାୟ 10 ଲକ୍ଷ ରୁ ଅଧିକ ଭୋଟର ରହିଛନ୍ତି ।
କଣ ଥିଲା ସତର’ ସ୍ଥିତି...
ଗତ 2017 ପଞ୍ଚାୟତ ନିର୍ବାଚନରେ ଭଦ୍ରକ ଜିଲ୍ଲାରେ ବିଜେପି ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢେଇ ମୁଖ୍ୟତଃ ହୋଇଥିଲା । ଫେବୃୟାରୀ 13 ରୁ 21 ମଧ୍ୟରେ 5 ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । 28 ଟି ଜୋନ ପାଇଁ ମୋଟ 130 ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ । ବିଜେପି ବିଜେଡି ଓ କଂଗ୍ରେସ ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ, ସିପିଆଇ ସିପିଆଇଏମ ଓ ସ୍ବାଧିନପ୍ରାର୍ଥୀ ମଧ୍ୟ ମୈଦାନରେ ଥିଲେ । ହେଲେ ଜିଲ୍ଲା ପରିଷଦ ନିର୍ବାଚନ ପୁରା ପୁରି ଏକପାଖିଆ ହୋଇଥିଲା । ଶାସକ ବିଜେଡି 14 ଟି ଆସନ ଦଖଲ କରିଥିବାଳେ, ବିଜେପି ଖାତାକୁ ଯାଇଥିଲା ମାତ୍ର 4 ଟି ଆସନ । ଆଉ ବିଜେଡିର ଦ୍ବିଜବର ରାଉତ ହୋଇଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଜ୍ୟୋସ୍ନାରାଣୀ ମହାନ୍ତି ହୋଇଥିଲେ ଉପାଧ୍ୟକ୍ଷ ।
ତେବେ ସମୟ ବଦଳିବା ସହ ସ୍ଥିତି ବଦଳିଯାଇଛି । ଅଧିକ ଶକ୍ତିଶାଳୀ ହୋଇଛି ଶାସକ ଦଳ । ବିଜେପି ମଧ୍ୟ ନିଜ ସଂଗଠନ ମଜବୁତ କରିଛି । କଂଗ୍ରେସ କିନ୍ତୁ ଦୁର୍ବଳ ସ୍ଥିତିରେ ଗତିକରୁଛି । ଏପରି ସ୍ଥିତିରେ କିଏ ଜିଲ୍ଲା ପରିଷଦ ନିର୍ବାଚନରେ ବାଜି ମାରିବ ତାହାକୁ ଅପେକ୍ଷା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ