ଭଦ୍ରକ: ଜିଲ୍ଲା ସ୍ଥିତ ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅର୍ନ୍ତଗତ ସନ୍ଥପୁରା ଗାଁରେ ଏକ ବ୍ୟକ୍ତିଗତ ଜମିରେ ସରକାରୀ ନଳକୂପ ସ୍ଥାପନକୁ ବିରୋଧ । ରାସ୍ତାକଡରେ ସରକାରୀ ଜମି ଥାଇ ମଧ୍ୟ ବ୍ୟକ୍ତିଗତ ଜାଗାରେ ନଳକୂପ ସ୍ଥାପନକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ବ୍ୟକ୍ତିଗତ ସ୍ଥାନରେ ନଳକୂପ ତିଆରି ହେଲେ ପ୍ରକୃତ ହିତାଧିକାରୀ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବା ନେଇ ଆଶଙ୍କା କରି ପ୍ରତିବାଦ କରିଛନ୍ତି ।
ସୂଚନା ଅନୁଯାୟୀ ସନ୍ଥପୁରା ଗାଁରେ ନଳକୂପ ସ୍ଥାପନା ପାଇଁ 1 ଲକ୍ଷ 70 ହଜାର ଟଙ୍କା ବ୍ୟୟବରାଦ କରାଯାଇଛି । ଗାଁ ରାସ୍ତା କଡରେ ସରକାରୀ ଜାଗା ଥିବାବେଳେ ରାସ୍ତା ଠାରୁ ଦୂରରେ ଥିବା ଏକ ବ୍ୟକ୍ତିଗତ ଜାଗାରେ ଉକ୍ତ ନଳକୂପ ସ୍ଥାପନ କରାଯାଉଛି । ଫଳରେ ପ୍ରକୃତ ହିତାଧିକାରୀ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବା ଆଶଙ୍କା କରାଯାଉଛି । ଯାହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଉକ୍ତ ନଳକୂପକୁ ଯିବାକୁ ହେଲେ ସିଧାସଳଖ କୌଣସି ରାସ୍ତା ନ ଥିବାବେଳେ ଘରର ପଛପଟ ପାଣିଚାର ଓ ପାଣିନାଳ ଦେଇ ଯିବାକୁ ପଡିବ ଯାହା ସାଧାରଣରେ ବ୍ୟବହାର ଉପଯୋଗୀ ହେବନାହିଁ ବୋଲି ଅଭିଯୋଗ ହୋଇଛି ।
ସେହିପରି ଯେଉଁ ବ୍ୟକ୍ତିଗତ ଜମିରେ ନଳକୂପ ସ୍ଥାପନ କରାଯାଉଛି, ସେଥିରେ ଥିବା କେତେକ ଅଂଶୀଦାରଙ୍କ ସହମତି ନଥିବା ମଧ୍ୟ ଅଭିଯୋଗ ହୋଇଛ । ଏନେଇ ଗ୍ରାମବାସୀ ବିଡିଓଙ୍କୁ ଭେଟି ଅଭିଯୋଗ କରିବା ସହ ତୁରନ୍ତ ନଳକୂପ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ତେବେ ଉକ୍ତ ଜମିରେ ଅଂଶୀଦାର ଥିବା କୁଦରାତୁନ ବିବି ମଧ୍ୟ ପୀରହାଟ ଥାନାରେ ଏତଲା ଦେଇଥିବା ଜଣାପଡିଛି । ସରକାରୀ ନଳକୂପ ବ୍ୟକ୍ତିଗତ ଜମିରେ ସ୍ଥାପନ କରାଯିବା କେତେଦୂର ସମିଚୀନ ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ 5-ଟି ସଚିବ, ପଞ୍ଚାୟତିରାଜ ବିଭାଗ, ଜିଲ୍ଲାପାଳ ଓ ପାନୀୟ ଜଳ ଯୋଗାଣ ବିଭାଗୀୟ ପଦାଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ