ଗ୍ରାମରୁ ବାସନ୍ଦ ପରିବାରକୁ ସଂଘବଦ୍ଧ ଆକ୍ରମଣ, ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ - ଭଦ୍ରକ ଖବର
ଗ୍ରାମରୁ ବାସନ୍ଦ ପରିବାରକୁ ସଂଘବଦ୍ଧ ଆକ୍ରମଣ କଲେ ଗ୍ରାମବାସୀ। ଆକ୍ରମଣକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ। ଅଧିକ ପଢନ୍ତୁ
ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର ବାସନ୍ଦ ପରିବାରକୁ ସଂଘବଦ୍ଧ ଆକ୍ରମଣ । ଭୟରେ ଗାଁ ଛାଡିଲା ପୁରା ପରିବାର। ଏଭଳି ଘଟଣା ଘଟିଛି ଭଦ୍ରକ ବାରସର ପଞ୍ଚାୟତର କେଳାସାହି ଗାଁରେ। ଏହି ଘଟଣାରେ ପୋଲିସର ନିଷ୍କ୍ରିୟତା ବିରୋଧରେ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବାସନ୍ଦ ପରିବାର।
ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଶିକାର ହୋଇଥିଲେ ହେଁ ପୋଲିସ ସୁରକ୍ଷା ଦେଉନଥିବା ଏବଂ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଉନଥିବା ଅଭିଯୋଗ ହୋଇଛି। ଘଟଣାକୁ 6 ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ମାନଙ୍କୁ ସୁହାଇଲା ପରି କାର୍ଯ୍ୟ କରୁଥିବା ବାସନ୍ଦ ପରିବାର ଲୋକେ କହିଛନ୍ତି। ପ୍ରଥମେ ଗତ ଶୁକ୍ରବାର ଜୁନ 23 ତାରିଖ ଦିନ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଅଭିଯୋଗ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ପୋଲିସ ଗ୍ରହଣ କରିନାହିଁ। ତେଣୁ ପୁନର୍ବାର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୀଡିତ ସପରିବାର ଘଣ୍ଟା ଘଣ୍ଟା ଧରି ବସିଥିଲେ। ହେଲେ ଆରକ୍ଷୀ ଅଧିକ୍ଷକଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏହି ପରିବାର ଲୋକଙ୍କ ସହିତ ଆଲୋଚନା କରି ପୀରହାଟ ପୋଲିସକୁ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ମାତ୍ର ଅପରାହ୍ନରେ ଏହି ବାସନ୍ଦ ପରିବାର ପୀରହାଟ ପୋଲିସକୁ ଭେଟିଥିଲେ ମଧ୍ୟ କୌଣସି ସହାୟତା ମିଳିନଥିଲା। ପୁନଶ୍ଚ ଆକ୍ରମଣ ଭୟରେ ସେମାନେ ଗାଁକୁ ଯାଇନଥିବା ଜଣାଯାଇଛି।
ଏହା ମଧ୍ୟ ପଢନ୍ତୁ-ମନରେଗାରେ ପୋଖରୀ ଖୋଳା, ଦାୟିତ୍ବରେ ଥିବା ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ
ପ୍ରକାଶ ଥାଉକି, ବିଗତ 8 ବର୍ଷ ହେଲା ବୁଦ୍ଧିରାମ ଦାସଙ୍କ ପରିବାରକୁ ଏକ ଘରିଆ କରାଯାଇଛି। ତେଣୁ ଏହି ପରିବାର ସହିତ ଗ୍ରାମର କୌଣସି ବ୍ୟକ୍ତି କଥାବାର୍ତ୍ତା ନକରିବାକୁ କଙ୍ଗାରୁ କୋର୍ଟ ମାଧ୍ୟମରେ କୁହାଯାଇଥିଲା। ହେଲେ ଅନ୍ୟ ଏକ ପରିବାରର ଜଣେ ସମ୍ପର୍କୀୟ ଗାଁକୁ ଆସିଥିଲେ। ତାଙ୍କ ସହିତ ଅଭିଯୋଗକାରୀଙ୍କ ପୁଅ ଗଗନ ଦାସ କଥା ହୋଇଥିବା ନେଇ ଜଣାପଡିବା ପରେ ଗ୍ରାମବାସୀ ଉକ୍ତ ପରିବାରକୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। କେବଳ ସେତିକି ନୁହେଁ ଉକ୍ତ ପରିବାର ମୁରବୀ ସମେତ 3 ଜଣ ପୁଅ, 3 ଜଣ ବୋହୂ ଏବଂ ନାତି ନାତୁଣୀ ମାନଙ୍କୁ ମଧ୍ୟ ଅକଥନୀୟ ଅତ୍ୟାଚାର କରିବା ସହ ମରଣାନ୍ତଙ୍କ ଆକ୍ରମଣ କରି ପଳାଇ ଆସିଥିଲେ ଗ୍ରାମବାସୀ ।
ହେଲେ ସେମାନେ ଫେରିବା ପରେ ପୂନଶ୍ଚ ଗାଁର ଅନ୍ୟ 12ରୁ ଉର୍ଦ୍ଧ୍ବ ବ୍ୟକ୍ତି ଘରେ ପଶି 3 ଟି ମଟର ସାଇକେଲକୁ ଦାଣ୍ଡରେ ଭାଙ୍ଗି ନିକଟସ୍ଥ ନଈକୁ ଫିଙ୍ଗି ଦେଇଥିଲେ। ପରେ ଘରେ ଥିବା ଟିଭି, ଫ୍ରିଜ୍, ଆଲମିରା ସମେତ ବିଭିନ୍ନ ଆସବାବ ପତ୍ର ଗୁଡିକୁ ମଧ୍ୟ ଭାଙ୍ଗି ପକାଇବା ସହ ଚୂରମାର କରି ଦେଇଥିଲେ। ଏପରିକି ଘରେ ଥିବା ଏବଂ ମହିଳା ମାନେ ପିନ୍ଧିଥିବା ସୁନା ଗହଣା ସମେତ ନଗଦ 5 ଲକ୍ଷ ଟଙ୍କା ଲୁଟ କରି ନେଇଥିବା ଅଭିଯୋଗ ହୋଇଛି। ତେବେ ଆକ୍ରମଣର ଶିକାର ହୋଇ ଜରୁରୀକାଳୀନ ସେବାକୁ ଫୋନ କରିଥିଲେ ଏହି ପରିବାର ଲୋକେ।
ଖବର ପାଇ ରାତିରେ ପୋଲିସ ଗାଁରେ ପହଞ୍ଚିଥିଲା। ହେଲେ ଘଟଣାକୁ 6 ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ମାନଙ୍କୁ ସୁହାଇଲା ପରି କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ଏହି ପରିବାର। ତେଣୁ ଏହି ପରିବାର ଲୋକେ ଭୟଭୀତ ହୋଇ ଅନ୍ୟ ଗାଁରେ ଆଶ୍ରୟ ନେଇଥିବା ଜଣାପଡିଛି। ପୋଲିସ ସବୁ ଜାଣି ମଧ୍ୟ ପୀଡିତ ପରବାରକୁ ସୁରକ୍ଷା ଦେଉନଥିବା ବଡ ବିଡମ୍ବନାର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଇଟିଭି ଭାରତ, ଭଦ୍ରକ