ଭଦ୍ରକ: ବାହାଘର ରୋଷଣୀ ବେଳେ ଅଘଟଣ । ଡିଜେ ଗାଡି 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଚାଲିଗଲା ଜଣଙ୍କର ଜୀବନ। ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ବନ୍ତ ଥାନା ପଦାକଣା ଗାଁରେ ଘଟିଛି ଏଭଳି ଅଘଟଣ ।
ମୃତ ଯୁବକ ଜଣକ ହେଲେ ସୁନା ଗଡ଼ିଆ ଗାଁର ପ୍ରଭାତ ସ୍ୱାଇଁ । ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ସୁନାଗଡିଆର ଅକୃର ବାରିକଙ୍କ ପୁଅ ବାହାଘର ପାଇଁ ଆଜି ବନ୍ତ ଥାନା ଅନ୍ତର୍ଗତ ପଦାକଣା ଗାଁକୁ ଯାଇଥିଲେ । ସେଠାରେ ବାହାଘର ରୋଷଣୀ ଚାଲୁଥିବା ସମୟରେ କୌଣସି କାରଣରୁ ଡିଜେ ଗାଡିଟି 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା ।
ବରଯାତ୍ରୀ ଭାବେ ଯାଇଥିବା ସୁନାଗଡିଆ ଗାଁର ପ୍ରଭାତ ସ୍ୱାଇଁ ନାଚୁଥିବା ସମୟରେ ଅସାବଧାନତା ଯୋଗୁଁ ଡିଜେ ଗାଡି ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇ ଜଣ ଯୁବକ ମଧ୍ୟ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତ ମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବନ୍ତ ଡ଼ାକ୍ତରଖାନାକୁ ନେଇଥିଲେ । ମାତ୍ର ସେମାନଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ସେଠାରେ ଡାକ୍ତର ପ୍ରଭାତଙ୍କୁ ମୃତ ଘୋଷଣା କରିଥିଲା ବେଳେ ଅନ୍ୟ ଦୁଇ ଆହତଙ୍କ ଚିକିତ୍ସା ଜାରି ରହିଛି ।
ଇଟିଭି ଭାରତ, ଭଦ୍ରକ