ଭଦ୍ରକ: ଅନନ୍ୟ ଐତିହ୍ୟ ଓ ସଂସ୍କୃତିରେ ଭରପୁର ଆମ ଓଡ଼ିଶା । ବିବିଧ କଳା ଓ ପରମ୍ପରା ଏହାର ଆଧାର । ଓଡ଼ିଶୀ ନୃତ୍ୟର ନାମ ଉଠିଲେ ମନରେ ଆସେ ଓଡିଶା ଓ ଏହାର ବଳିଷ୍ଠ ସଂସ୍କୃତି । ତେବେ ଦେଖିବାକୁ ଆକର୍ଷଣୀୟ ଲାଗୁଥିବା ଏହି ନୃତ୍ୟ କଳାରେ ଖୁବ କମ୍ ବୟସରେ ପାରଦର୍ଶିତା ଲାଭ କରିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ତନ୍ମୟା ସାଇ । ଭାରତ ଆଇକନ ସହ ଅନେକ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ଛୋଟ ବେଳୁ ନୃତ୍ୟ ପ୍ରତି ଅହେତୁକ ରୁଚି ରଖିଥିବା ଦେଖି ତନ୍ମୟାଙ୍କୁ ତାଙ୍କ ପରିବାର ଲୋକେ ନାଚ ଶିଖାଉଥିଲେ । ପ୍ରଥମରୁ ଓଡ଼ିଶୀ ନୃତ୍ୟ ଶିଖିବା ସହ ପରବର୍ତ୍ତୀ ସମୟରେ ମଡର୍ଣ୍ଣ ଡ୍ୟାନ୍ସ ପ୍ରତି ମଧ୍ୟ ମନ ବଳାଇଛନ୍ତି । ବାଙ୍ଗାଲୋରଠାରେ ଅନୁଷ୍ଠିତ ଭାରତ ଆଇକନ ଆୱାର୍ଡ ସହ ଅନେକ ଜାତୀୟସ୍ତରର ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି ଭଦ୍ରକର ଝିଅ ତନ୍ମୟା ସାଇ ମହାନ୍ତି ।
ଅଷ୍ଟମ ଶ୍ରେଣୀର ଛାତ୍ରୀ ତନ୍ମୟା ଜଣେ ନିଖୁଣ ଓଡିଶୀ ନୃତ ଶିଳ୍ପୀ । ପାଠ ପଢ଼ିବା ସହ ଅବସର ସମୟରେ ସୋସିଆଲ ମିଡିଆରୁ ନୃତ୍ୟ ଶିଖନ୍ତି । ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ଘର ହୋଇଥିବା ବେଳେ ବାପା ଅଗ୍ନିଶମ ବିଭାଗରେ ଚାକିରି କରିଥିବାରୁ ଭଦ୍ରକ ସହରର ଚରମ୍ପାରେ ସେ ପରିବାର ସହ ରୁହନ୍ତି । ଛୋଟ ବେଳୁ ମୋବାଇଲରେ ନାଚ ଦେଖି ନିଜେ ନିଜେ ଶିଖୁଥିଲେ । ଘର ଲୋକେ ତନ୍ମୟାଙ୍କ ଇଚ୍ଛାକୁ ଦେଖି ନୃତ୍ୟ ଶିକ୍ଷକଙ୍କ ନିକଟରେ ନୃତ୍ୟ ଶିଖାଇବା ସହ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରାଇଥିଲେ । ଏବେ ପର୍ଯ୍ୟନ୍ତ ଅନେକ ଜିଲ୍ଲା ସ୍ତରୀୟ ତଥା ଜାତୀୟ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି ତନ୍ମୟା । ନିକଟରେ ବାଙ୍ଗାଲୋରରେ ଆୟୋଜିତ ହୋଇଥିବା ଜାତୀୟ ସ୍ତରର ନୃତ୍ୟ ପ୍ରତିଯୋଗିତାରେ ତନ୍ମୟା ଅଂଶଗ୍ରହଣ କରିଥିଲେ । ଯାହାକି ଭାରତ ଆଇକନ ଆୱାର୍ଡ ଭାବେ ବେଶ ମଧ୍ୟ ପରିଚିତ । ଏହି ପ୍ରତିଯୋଗିତାରେ ସେ ଅନ୍ୟ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଭାରତ ଆଇକନ ଆୱାର୍ଡରେ ପୁରସ୍କୃତ ହୋଇଥିଲେ ।
ଏଥିସହ ପୁରୀରେ ଅବସ୍ଥିତ ରାଜ୍ୟର ସର୍ବ ପୁରାତନ ଅର୍ଣ୍ଣପୁର୍ଣ୍ଣା ଥିଏଟରରେ ମଧ୍ୟ ଅନୁଷ୍ଠିତ ବିଭିନ୍ନ ଜାତୀୟ ସ୍ତରର ପ୍ରତିଯୋଗିତା ଭାଗ ନିଅନ୍ତି ତନ୍ମୟା । ନିକଟରେ ସେଠାରେ ଆୟୋଜିତ ଜାତୀୟ ନୃତ୍ୟ ମହୋତ୍ସବ ପ୍ରତିଯୋଗିତାରେ ମଧ୍ୟ ତନ୍ମୟା ମାୟାପୁରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । କେବଳ ସେତିକି ନୁହେଁ ଦୁରଦର୍ଶନରେ ପ୍ରସାରିତ ହେଉଥିବା ଅନେକ ନୃତ୍ୟ ପ୍ରତିଯୋଗିତାରେ ମଧ୍ୟ ସେ ବହୁ ବାର ସମ୍ମାନିତ ହୋଇଛନ୍ତି । ଏଥିସହ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ପ୍ରତିଯୋଗିତାରେ ସେ ଭାଗ ନେଇ ନୃତ୍ୟାଙ୍ଗନା ପୁରସ୍କାର ସହିତ 2022ରେ ରାଜ୍ୟର ସମ୍ମାନଜନକ ପୁରସ୍କାର ଦେବଦାସୀ ଆୱାର୍ଡ ମଧ୍ୟ ପାଇଛନ୍ତି । ତେବେ ପରିବାର ଲୋକେ ନୃତ୍ୟ ସହ ପାଠକୁ ମଧ୍ୟ ଗୁରୁତ୍ୱ ଦେଉଥିବା ବେଳେ ସକାଳ ଏବଂ ସନ୍ଧ୍ୟାରେ ଦୁଇ ଓଳି ନିଜେ ନୃତ୍ୟ ଅଭ୍ୟାସ କରନ୍ତି ତନ୍ମୟା ସାଇ । ଝିଅର ଏହିପରି ପ୍ରତିଭା ସହିତ ସେ ବିଭିନ୍ନ ସ୍ଥାନରେ ପାଉଥିବା ସମ୍ମାନ ପାଇଁ ତାଙ୍କ ବାପା ମାଆ ତଥା ଅଞ୍ଚଳବାସୀ ବେଶ ଗର୍ବିତ । ଓଡ଼ିଶୀ ସହ ମଡର୍ଣ୍ଣ ଡାନ୍ସ ମଧ୍ୟ ଶିଖିବା ଆରମ୍ଭ କରିଥିବା ତନ୍ମୟା ଆଗକୁ ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ଇଟିଭି ଭାରତ, ଭଦ୍ରକ