ଭଦ୍ରକ: ଲିଭିନି ମନରୁ 2018 ଜୁଲାଇ 19ର ସେହି ଭୟଙ୍କର ସଡ଼କ ଦୁର୍ଘଟଣା । ମନେ ପଡିଲେ ଶିହିରି ଉଠୁଛି ଦେହ । ସାଥୀ ସହପାଠନୀଙ୍କୁ ଆଖି ସାମ୍ନାରେ ହରାଇବାର ଦୃଶ୍ୟ ଆଜି ବି ସେମାନଙ୍କ ଆଖିରେ ଭୟଙ୍କର ଛବି ଛାଡିଯାଇଛି । ଏମିତି ଏକ କାଳଦିନ ଆସିବ ଆଉ ଏକା ସାଙ୍ଗରେ ନେଇ ଯିବ 5ଜଣ କୋମଳିମତି ଛାତ୍ରଛାତ୍ରୀଙ୍କୁ । ତାହା କେହି କେବେ କଳ୍ପନା ମଧ୍ୟ କରିନଥିବେ । ଭଦ୍ରକ ରାଣୀତାଲ ଉଚ୍ଚ ବିଦ୍ୟାଳୟର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ପୁରିଯାଇଛି ବର୍ଷେ । ସମଗ୍ର ରାଜ୍ୟକୁ ଏହି ଘଟଣା ସ୍ତବ୍ଧ କରିଦେଇଥିଲା । ସେତେବେଳେ ପ୍ରଶାସନିକ ସ୍ତରରେ ଦୁର୍ଘଟଣା ଏଡାଇବାକୁ ନିଆଯାଇଥିବା ନିଷ୍ପତ୍ତି ଏବେ ମିଥ୍ୟା ପ୍ରତିଶୃତିରେ ପରିଣତ ହୋଇଛି ।
ବର୍ଷ ପରେ ବି ଅସୁରାରେ ବୋହୁଛି ଅଶ୍ରୁଧାରା । 16 ନଂ ଜାତୀୟ ରାଜପଥ ରାହାଞ୍ଜ ଛକରେ ଟ୍ରକ ତଳେ ଚାପି ହୋଇଯାଇଥିଲେ 5ଜଣ ଛାତ୍ରଛାତ୍ରୀ । ଆଉ 6 ଜଣ ଛାତ୍ରଛାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣାକୁ ବର୍ଷେ ପୁରିଯାଇଥିବାବେଳେ ସ୍କୁଲ ପକ୍ଷରୁ ଏକ ସ୍ମୃତିଚାରଣ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ କେତେକ ଛାତ୍ରୀ ଅଚେତ ହୋଇପଡିଥିବାବେଳେ ସେହି ଦିନକୁ ମନେ ପକାଇ ବାହୁନି ବାହୁନି କାନ୍ଦୁଛନ୍ତି ।
ସେତେବେଳେ ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିବା ଏହି ଘଟଣା ପରେ ଦୁର୍ଘଟଣା ଏଡାଇବାକୁ ସରକାରୀସ୍ତରରେ ନିଆଯାଇଥିଲା ନିଷ୍ପତ୍ତି । ଘଟଣା ପରେ ଏନଏଚ ପାଖଆଖ କେତେକ ସ୍କୁଲରେ କିଛି ପଦକ୍ଷେପ ଗ୍ରହଣ ହୋଇଥିବାବେଳେ ଯେଉଁ ସ୍କୁଲର ଘଟଣା ତାକୁ ଭୁଲି ଗଲେ ସରକାର । ଯେଉଁ ଗଳାପୂର୍ଣ୍ଣ ରାସ୍ତା ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ତାକୁ ପୂରଣ କରିନଥିବାର ଅଭିଯୋଗ କରିଛନ୍ତି । ଏପରିକି ଆଗାମୀ ଦିନରେ ଏହାର ବ୍ୟବସ୍ଥା କରାନଗଲେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବେ ବୋଲି ଦାବି ଜଣାଇଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ