ଭଦ୍ରକ: ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଷୋଳମପୁର ପଞ୍ଚାୟତ ଦାଣ୍ଡକୁଳ ଗ୍ରାମରେ । ଖବର ଅନୁଯାୟୀ ଗ୍ରାମର ଉତ୍କଳ କିଶୋର ଜେନାଙ୍କ ସ୍ତ୍ରୀ ସ୍ବପ୍ନା ରାଣୀ ଜେନାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଏନେଇ ସ୍ବପ୍ନାଙ୍କ ସ୍ବାମୀ ଓ ଶ୍ବଶୁର ଯାଜପୁର ଜିଲ୍ଲା ସୁନ୍ଦରେଇମୁହ ସ୍ବପ୍ନାଙ୍କ ପରିବାରକୁ ଜଣାଇଥିଲେ ।
ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଏକ ଅଟୋରେ ଥିବା ଦେଖିବାକୁ ପାଇଥିଲେ । ତେବେ ସ୍ବପ୍ନା ଶୋଇବା ଘରେ ଫାଶୀ ଲଗେଇ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକ କହୁଥିବାବେଳେ ସ୍ବପ୍ନାଙ୍କ ପରିବାର ଲୋକେ ଯୌତୁକ ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ କରିଛନ୍ତି । ସ୍ବପ୍ନାଙ୍କ ପରିବାର ପକ୍ଷରୁ ତଣ୍ଟିଚିପି ହତ୍ୟା କରାଯାଇଛି ବୋଲି ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ତେବେ ମୃତ ସ୍ବପ୍ନାଙ୍କର ଏକ 6 ମାସର ଝିଅଟିଏ ଅଛି ବୋଲି ସୂଚନା ମିଳିଛି ।
ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ସ୍ବାମୀ, ଶାଶୁ ଓ ଶ୍ବଶୁରଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ