ଭଦ୍ରକ : ମେଲୋଡି କଳାକାର ଓ ମାଲିକଙ୍କ ପରିବାରକୁ ଦୁଃଖ ଯନ୍ତ୍ରଣା ଭିତରକୁ ଠେଲି ଦେଇଛି କୋରୋନା । ପୂଜା ପାର୍ବଣ, ବିବାହ ବ୍ରତ ଏପରିକି ରାଜନୈତିକ ଦଳର ସଭା ସମିତି ସବୁଠି ଖୋଜା ପଡୁଥିଲା ମେଲୋଡି ଗ୍ରୁପ । ହେଲେ କରୋନା ମହାମାରୀ ପାଇଁ ସବୁ ସାଂସ୍କୃତିକ କାର୍ଯ୍ୟ ବନ୍ଦ ହୋଇ ଯାଇଥିବାରୁ ଏବେ ଦୁର୍ବିସହ ଜୀବନ ଯାପନ କରୁଛନ୍ତି ମେଲୋଡି ପାର୍ଟିର କର୍ମଚାରୀ ଓ ମାଲିକ ।
ମେଲୋଡିକୁ ରୋଜଗାରର ମାଧ୍ୟମ କରି ଯେଉଁମାନେ ନିଜର ସମସ୍ତ ଅର୍ଥବଳ ଖଟାଇ ସାଂସ୍କୃତିକ ବାଦ୍ୟଯନ୍ତ୍ର କିଣି ଦୁଇ ପଇସା ରୋଜଗାର କରି ପେଟ ପୋଷୁଥିଲେ ତାହା ଏବେ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଛି । ଘରେ ପଡି ପଡି ବାଦ୍ୟଯନ୍ତ୍ର ସବୁ ନଷ୍ଟ ହେବାକୁ ବସିଲାଣି । ବିଦ୍ୟୁତ୍ ସରଞ୍ଜାମ, ମାଇକ୍ ସବୁ ଖତ ଖାଇବାକୁ ଗଲାଣି । ଏବେ କେମିତି ଚଳିବେ ମେଲୋଡି ମାଲିକମାନେ ବୋଲି ପ୍ରଶ୍ନ କରିଛନ୍ତି ଭଦ୍ରକ ମେଲୋଡି ମାଲିକ ସଂଘର କର୍ମକର୍ତ୍ତାମାନେ । ତେବେ ଆଜି ଜୀବିକା ଦାବି କରି ଏ ନେଇ ଗୌତମ ବାରିକ ଓରଫ କୁମାର ଗୌତମଙ୍କ ନେତୃତ୍ବରେ ଏକ କଳାକାର ଦଳ ଓ ମେଲୋଡି ମାଲିକମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଏଠାରେ ସୂଚନାଯୋଗ୍ୟ ଗାୟକ ଗାୟିକା, ବାଦ୍ୟକାର, ନୃତ୍ୟଶିଳ୍ପୀ, ସାଉଣ୍ଡ ଅପରେଟର, ବିଦ୍ୟୁତ ପରିଚାଳକମାନେ ମଧ୍ୟ ନିଜ ନିଜ ଜୀବିକା ପାଇଁ ମାଲିକଙ୍କ ଉପରେ ନିର୍ଭରଶୀଳ ହୋଇଥିବାରୁ ଏବେ ସେମାନଙ୍କୁ ନିଜ ପାଖରେ ବାନ୍ଧି ରଖିବା ପାଇଁ ମାଲିକମାନେ ସକ୍ଷମ ନୁହନ୍ତି । ଯାହା ଫଳରେ ପାର୍ଟି ସମ୍ପୂର୍ଣ୍ଣ ଦୁର୍ଦ୍ଦିନରେ । କିଛି ମାଲିକ ବ୍ୟାଙ୍କରୁ ଲୋନ ଆଣି ମେଲୋଡି ପାର୍ଟି ଗଠନ କରିଥିବା ବେଳେ ଏବେ ବ୍ୟାଙ୍କ କିସ୍ତି ଦେବାରେ ଅକ୍ଷମ ହୋଇଛନ୍ତି । ଏହିଭଳି ନାନା ସମସ୍ୟା ମଧ୍ୟରେ ମେଲୋଡି ମାଲିକମାନେ ଗତି କରୁଛନ୍ତି ।
ବାରମ୍ବାର ଜିଲ୍ଲା ପ୍ରଶାସନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସରକାର ସମ୍ପୂର୍ଣ୍ଣ ନିରବ ରହିଛନ୍ତି । ଏବେ ମଲ୍ ଠାରୁ ଆରମ୍ଭ କରି ରାଜନୈତିକ ସଭା ସମିତି ସବୁକୁ ସରକାର ଅନୁମତି ଦେଉଥିବା ବେଳେ ପୂଜା ପାର୍ବଣ, ବିବାହ ବ୍ରତରେ କୋବିଡ଼ କଟକଣାକୁ ମାନି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଅନୁମତି ଦେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ସରକାର ଏଥିପ୍ରତି ସଦୟ ନ ହେଲେ ସଂଘ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ