ଭଦ୍ରକ: ପଞ୍ଚାୟତ ନିର୍ବାଚନକୁ ନେଇ ବଢୁଛି ବିଶୃଙ୍ଖଳା । ବୁଥରୁ ବାଲଟ ପେପର ଧରି ଦୌଡି ପଳାଇଲେ ସରପଞ୍ଚଙ୍କ ଏଜେଣ୍ଟ । ଫଳରେ ଭୋଟ ଆରମ୍ଭରୁ ବନ୍ଦ ହୋଇଛି ଶେଷ ପର୍ଯ୍ୟାୟ ମତଦାନ । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଧାମନଗର କଟସାହି ପଞ୍ଚାୟତରୁ । 36 ଜଣ ଭୋଟ ଦେବା ପରେ ସରପଞ୍ଚଙ୍କ ଏଜେଣ୍ଟ କଟସାହି ପଞ୍ଚାୟତର ୧ନମ୍ବର ବୁଥରୁ ବାଲଟ ପେପର ନେଇ ଦୌଡ଼ି ପଳାଇଥିଲେ । ପରେ ପୋଲିସ ଓ ସ୍ଥାନୀୟ ଲୋକେ ଗୋଡ଼ାଇ ଯାଇ ଏଜେଣ୍ଟଙ୍କୁ ଧରି ଥାନାକୁ ନେଇଛନ୍ତି । ଏଜେଣ୍ଟଙ୍କ ମାଡ଼ରେ ଜଣେ ବୃଦ୍ଧ ଆହତ ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁୟାୟୀ, ଆଜି ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଥିବା ବେଳେ ଧାମନଗର ବ୍ଲକରେ ମୋଟ 31ଟି ଗ୍ରାମ ପଞ୍ଚାୟତ ଓ 4ଟି ଜିଲ୍ଲା ପରିଷଦ ପାଇଁ ଭୋଟିଂ ହେଉଛି । ବ୍ଲକର 405ଟି ବୁଥରେ ଭୋଟିଂ ହେଉଥିବା ବେଳେ 61ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ପାଟ୍ରୋଲିଂ ଟିମ ମଧ୍ୟ ବିଭିନ୍ନ ଅଞ୍ଚଳରେ ପଇଁତରା ମାରୁଛନ୍ତି । ଏହାରି ମଧ୍ୟରେ ବି କଟସାହି ପଞ୍ଚାୟତ 1 ନମ୍ବର ବୁଥରେ ସରପଞ୍ଚଙ୍କ ଏଜେଣ୍ଟ ଏଭଳି କାଣ୍ଡ ଘଟାଇବାରୁ ଭୋଟିଂ ବନ୍ଦ ହୋଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ