ଭଦ୍ରକ: କୁଣ୍ଡି ନଦୀରେ ଅଘଟଣ । ନଦୀରେ ଭାସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧିନସ୍ଥ ପାଳିଆବିନ୍ଧା ନିକଟରେ ଅଘଟଣ ଘଟିଛି । ତେବେ ମୃତ ଯୁବକ ଜଣକ ତିହିଡ଼ି ଥାନା ଅଧୀନ ଦୋଳସାହି ପଞ୍ଚାୟତ ତଳଗାଜିପୁର ଗ୍ରାମର ବିଶ୍ବରଂଜନ ମହାନ୍ତି ବୋଲି ଜଣାପଡିଛି ।
ସୂଚନା ମୁତାବକ, ବିଶ୍ବରଂଜନ ଏବଂ ଅନ୍ୟ ଜଣେ ବ୍ୟକ୍ତି ଗତକାଲି କୌଣସି କାରଣରୁ ତଳଗାଜିପୁର ଗ୍ରାମ ନିକଟସ୍ଥ ନିର୍ମାଣାଧୀନ ରେଳ କଲଭର୍ଟ ନିକଟକୁ ଯାଇଥିଲେ । ତେବେ ସେଠାରେ ପ୍ରବାହିତ ହେଉଥିବା କୁଣ୍ଡି ନଦୀରେ ହ୍ୟୁମ ପାଇପ ପଡ଼ିଥିଲା । ନଦୀରେ ପାଣି ଅଧିକ ହୋଇ ଏହି ହ୍ୟୁମ ପାଇପ ଭିତରେ ଓ ଉପର ଦେଇ ପାଣି ପ୍ରବାହିତ କରୁଥିଲା । ସ୍ଥାନଟି ଅଣଚଉଡ଼ା ହୋଇଥିବା ବେଳେ ନଦୀର ସ୍ରୋତ ମଧ୍ୟ ପ୍ରଖର ଥିଲା । ତେବେ ଏହି ନଦୀକୁ ପାରି କରୁଥିବା ବେଳେ ଉଭୟ ହ୍ୟୁମ ପାଇପ ଭିତରେ ଫସି ଯାଇଥିଲେ । ହେଲେ ଜଣେ କୌଣସି ପ୍ରକାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇ ଯାଇଥିବା ବେଳେ ବିଶ୍ବରଂଜନ କିନ୍ତୁ ଅଟକି ଯାଇଥିଲେ ।
ଏହା ମଧ୍ୟ ପଢନ୍ତୁ- ଲଗାଣ ବର୍ଷା ସାଜିଲା କାଳ, ନାଳରେ ଭାସି ଗଲା ଯୁବକଙ୍କ ଜୀବନ
ଏହା ମଧ୍ୟ ପଢନ୍ତୁ- ରେତ ଡ୍ୟାମରେ ବୁଡି ଛାତ୍ର ନିଖୋଜ, ଖୋଜୁଛି ଓଡ୍ରାଫ ଟିମ୍
ଏନେଇ ଖବରପାଇ ତିହିଡ଼ି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପ୍ରାୟ ଏକ ଘଣ୍ଟା ଚେଷ୍ଟା କରିବା ପରେ ବିଶ୍ବରଂଜନଙ୍କୁ ଉଦ୍ଧାର କରାଯାଇ ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ପକ୍ଷରେ ଭାସି ଯାଇ ଗୁରୁତର ହୋଇଥିବା ସୌରଜିତ ନାୟକ ମେଡିକାଲରେ ଚିକିତ୍ସିତ ହେଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ତେବେ ଏହିପରି ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଏନେଇ ଖବର ପାଇ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ଦାସ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପହଞ୍ଚି ପୀଡିତଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଛନ୍ତି ।
ଇଟିଭି ଭାରତ, ଭଦ୍ରକ