ଭଦ୍ରକ: ଜିଲ୍ଲାର ଧାମରାରେ ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ଇଲିସି । ହେଲେ ଦରଦାମ ହେତୁ ହାତ ମାରି ହେଉନି । କିଲୋ ପିଛା 15 ଶହରୁ 2 ହଜାର ଟଙ୍କାରେ ବିକ୍ରି ହେଉଛି ଇଲିସି । ଗତ ବର୍ଷ ମାନଙ୍କରେ ଇଲିସି ଏତେଟା ଦେଖା ଦେଇନଥିବା ବେଳେ, ଏଥର କିଛି ଦିନ ହେବ ଲଗାଣ ବର୍ଷା ଧାମରା ଅଞ୍ଚଳର ମତ୍ସ୍ୟଜୀବୀଙ୍କ ଜାଲରେ ଗତ 3 ଦିନ ହେଲାଣି ଟନ୍ ଟନ୍ ଇଲିସି ମାଛ ପଡୁଛି । ହେଲେ ଛୋଟ ଇଲିସି ଏତେଟା ଦେଖାନଥିବା ବେଳେ ବଡ଼ ଇଲିସି ଗୁଡିକ ଜାଲରେ ପଡୁଛି ।
ବଡ଼ ଇଲିସିର ଚାହିଦା ଥିବାରୁ ଏହା ଦର ମଧ୍ୟ ଆକାଶଛୁଆଁ । କିଲୋରୁ ଦେଢ଼ କିଲୋ ଇଲିସି ଗୁଡିକ 15 ଶହରୁ 2 ହଜାର ଟଙ୍କାରେ ବିକ୍ରି ହେଉଥିବା ବେଳେ କିଲୋରୁ ତଳକୁ ଓଜନର ଇଲିସି 12 ଶହ ଏବଂ 5 ଶହ 6 ଶହ ଗ୍ରାମ୍ ଓଜନର ଇଲିସି 6 ଶହ ଟଙ୍କାରେ ବିକ୍ରି ହେଉଛି । ଏହି ସମୟରେ ଇଲିସି ଆମଦାନୀ ହେଉଥିବାରୁ ଇଲିସି ଖାଇବାକୁ ସମସ୍ତଙ୍କର ଇଚ୍ଛା ଥାଏ । କାଁଭାଁ ଛାଡିଦେଲେ ଆକାଶଛୁଆଁ ଦର ଯୋଗୁଁ ଗ୍ରାହକ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବ୍ୟବସାୟୀ ମାନେ ଇଲିସିକୁ କଲିକତା, ଖଡ଼ଗପୁର, ମେଛଦା ଆଦି ଅଞ୍ଚଳକୁ ପଠାଇଥାନ୍ତି ।
ପୂବାଳି ପବନ ଯୋଗୁଁ ସମୁଦ୍ରରେ ଇଲିସି ମିଠା ପାଣିକୁ ଉଠିଥାନ୍ତି ଆଉ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ନ୍ତି ବୋଲି କୁହନ୍ତି ମତ୍ସ୍ୟଜୀବୀ । ଆଗାମୀ ଦିନରେ ଯଦି ଏମିତି ପାଗ ରହେ ତେବେ ଆହୁରି ଅଧିକ ଇଲିସି ହେବ ଆଉ ରେଟ ଟିକେ ମଧ୍ୟ ଶସ୍ତା ହେବ ବୋଲି ଆଶା କରିଛନ୍ତି ମତ୍ସ୍ୟଜୀବୀ । ଧାମରା ଚନ୍ଦନୀପାଳ ଅଞ୍ଚଳରେ ପାଖାପାଖି 5 ହଜାରରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ ପରିବାର ଓ 12 ଶହ ବୋଟ୍ ପ୍ରତିଦିନ ଧାମରା ସମୁଦ୍ରକୁ ମାଛ ମାରିବାକୁ ଯାଇଥାନ୍ତି । ତେବେ ଇଲିସି ଜାଲରେ ପଡ଼ୁଥିବାରୁ ମତ୍ସ୍ୟଜୀବୀ ଓ ଟଲର ମାଲିକ ବେଶ ଖୁସି ଅଛନ୍ତି । ରାଜ୍ୟ ବାହାରକୁ ରପ୍ତାନି କରି ଦୁଇ ପଇସା ରୋଜଗାର କରୁଛନ୍ତି ।
ଇଟିଭି ଭାରତ, ଭଦ୍ରକ