ଭଦ୍ରକ : ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ନୂଆପାଟଣା ଗାଁର ମେଧାବୀ ଛାତ୍ର ଶ୍ରୀତମ ବାରିକ । ସେ ଦୁରାରୋଗ୍ୟ ରୋଗରେ ପୀଡିତ। ଚିକିତ୍ସା ପାଇଁ ଯାହାବି ସମ୍ବଳ ଥିଲା ସରିବା ପରେ ବନ୍ଧୁବର୍ଗଙ୍କ ଠାରୁ ହାତପାତି ଯାହାବି ମିଳିଲା ସରିଗଲାଣି। ଆଗକୁ ଆହୁରି ଆବଶ୍ୟକ ଲକ୍ଷ ଲକ୍ଷ ଟଙ୍କା। ଯାହାକୁ ନେଇ ପରିବାର ଲୋକେ ସରକାରୀ ତଥା ସହୃଦୟ ବ୍ୟକ୍ତି ଓ ବିଭିନ୍ନ ସଂଗଠନ ଗୁଡିକର ସହାୟତା ପାଇଁ ନିବେଦନ କରିଛନ୍ତି। ଖବର ଅନୁଯାୟୀ ସିନ୍ଦୋଳ ନୂଆପାଟଣା ଗାଁର ସୁଶାନ୍ତ ବାରିକଙ୍କ ପୁଅ ଶ୍ରୀତମ ବାରିକ ଜଣେ ମେଧାବୀ ଛାତ୍ର। ଏବେ ସେ କଟକରେ ଚିକିତ୍ସାଧିନ । ପାକସ୍ଥଳୀ ରୋଗାକ୍ରାନ୍ତ ହେବା ଜଣାଯିବା ପରେ ଅସ୍ତ୍ରୋପଚାର କରି ସମ୍ପୂର୍ଣ୍ଣ ବାହାର କରି ଦିଆଯାଇଛି।
ତେବେ କୃତ୍ରିମ ପାକସ୍ଥଳୀ ଲଗାଗଲେ ସାଧାରଣ ଭାବେ ବଞ୍ଚିବାର ଆଶା ପ୍ରକଟ କରିଛନ୍ତି ଡାକ୍ତର। ଏନେଇ 40 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଆବଶ୍ୟକତା ରହିଛି । ଯଦି ସାଧାରଣ ଲୋକେ ଶ୍ରୀତମର ଚିକତ୍ସା ପାଇଁ ନିଜ ହାତ ଖର୍ଚ୍ଚରୁ ମାତ୍ର କେଇ ଟଙ୍କା ସହଯୋଗ କରନ୍ତେ । ତେବେ ଏକ ଜୀବନ ରକ୍ଷା କରାଯାଇପାରନ୍ତା ବୋଲି କୋହଭରା କଣ୍ଠରେ କହିଛନ୍ତି ଶ୍ରୀତମଙ୍କ ଜେଜେ କପିଳେନ୍ଦ୍ର ବାରିକ ।
ସୂଚନା ମୁତାବକ, ଶ୍ରୀତମ ବାରିକ ଯୁକ୍ତିତିନି ପ୍ରଥମ ବର୍ଷର ଛାତ୍ର । ଦୈନିକ ଘରୁ ଯାଆ ଆସ କରି ପାଠ ପଢନ୍ତି। ପୂର୍ବରୁ ଶ୍ରୀତମଙ୍କ ପେଟ ଗ୍ୟାସ ହେଉଥିବା ନେଇ ବାନ୍ତି ହୋଇଥାଏ । ସାମୟିକ ଭାବେ ଔଷଧ ସେବନ କରି ରୋଗକୁ ଟାଳି ଚାଲିଥିଲେ । ପରେ ଶ୍ରୀତମର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ନିଆଯାଇଥିଲା । ସେଠାରେ ବିଭିନ୍ନ ପରୀକ୍ଷା କରାଯିବା ପରେ ଶେଷରେ ପାକସ୍ଥଳୀ ରୋଗାକ୍ରାନ୍ତ ହେବା ଜଣାଯିବା ପରେ ଅସ୍ତ୍ରୋପଚାର କରି ସମ୍ପୂର୍ଣ୍ଣ ବାହାର କରି ଦିଆଯାଇଛି। ତେବେ ଏହାର ପରବର୍ତ୍ତୀ ପର୍ଯ୍ୟାୟ ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ଥିବା ଯୋଗୁ ଏହି ମେଧାବୀ ଛାତ୍ରଙ୍କ ଗରିବ ପରିବାର ମୁଣ୍ଡରେ ଚଡକ ପଡିଛି। ତେଣୁ ଏହିପରି ଘଡିସନ୍ଧି ମୁହୂର୍ତ୍ତରେ ସହାୟତା ପାଇଁ ନିବେଦନ କରିଛନ୍ତି ଶ୍ରୀତମର ଜେଜେ ବାପା କପିଳେନ୍ଦ୍ର ବାରିକ। ଯେଉଁ ସହୃଦୟ ବ୍ୟକ୍ତି ସହାୟତା ପାଇଁ ଇଚ୍ଛୁକ ସେ ଏହି ନମ୍ବରରେ ସହାୟତା ରାଶି ପ୍ରଦାନ କରିପାରିବେ । ଏସବିଆଇ ବ୍ୟାଙ୍କ ଆକାଉଣ୍ଟ ନମ୍ବର 34605468867/ଆଇଏଫଏସସି ନମ୍ବର ଏସବିଆଇଏନ 001263 ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ