ଭଦ୍ରକ: ଟାଉନ ଥାନା ଅଧିକାରୀଙ୍କ ମାତ୍ରାଧିକ କାର୍ଯ୍ୟ ଓ ଅପମାନକୁ ସହିପାରିଲେନି ଭଦ୍ରକ ପୋଲିସ ହାବିଲଦାର ବୈକୁଣ୍ଠ ଦାସ । ଶେଷରେ ଅତିଷ୍ଠ ହୋଇ ବିଷ ଖାଇ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ । ଏହି ଘଟଣା ଏବେ ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ହାବିଲଦାର ବୈକୁଣ୍ଠ କିଛି ବର୍ଷ ଧରି ଭଦ୍ରକ କୁଆଁସ ସ୍ଥିତ ପୋଲିସ କ୍ଵାର୍ଟରରେ ରହୁଥିବାବେଳେ ପାଖରେ ରହୁଥିବା ଭଦ୍ରକ SPଙ୍କ ବଡିଗାଡ ସହ ତାଙ୍କର ବିଭିନ୍ନ ସମୟରେ ଝଗଡ଼ା ଲାଗି ରହୁଥିଲା । ଏହି ଘଟଣାର ଆପୋସ ସମାଧାନ ପାଇଁ ଉଭୟ ପରିବାର ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଥିଲେ । ହେଲେ ଟାଉନ ଥାନା IIC ଘଟଣାର ସମାଧାନ କରିବା ପରିବର୍ତ୍ତେ ଏକ ତରଫା ଭାବେ ହାବିଲଦାର ବୈକୁଣ୍ଠ ଓ ତାଙ୍କ ପୁଅକୁ ଥାନାକୁ ଡାକି ଦୀର୍ଘ ସମୟ ଅଟକ ରଖିବା ସହ ଉଭୟ ବାପ ପୁଅଙ୍କୁ ଗାଳିଗୁଲଜ କରିବା ନେଇ ଅଭିଯୋଗ ହୋଇଥିଲା ।
ଏହି ଘଟଣା ପରେ ହାବିଲଦାର ବୈକୁଣ୍ଠ ଥାନା ଅଧିକାରୀଙ୍କ ମାତ୍ରାଧିକ କାର୍ଯ୍ୟ ଓ ଅପମାନକୁ ସହିନପାରି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପ୍ରଥମେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ବୈକୁଣ୍ଠଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଥିଲା । ବର୍ତ୍ତମାନ ସେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବୋଲି ସୂଚନା ମିଳିଛି । ତେବେ ଏନେଇ ଭଦ୍ରକ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ