ଭଦ୍ରକ: ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ପରେ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଲା ପରିବାର। ଏପରି ଘଟଣା ଦେଖିବାକୁ ମିଳିଛି ଧାମରା ମେରାଇନ ଥାନା ଅନ୍ତର୍ଗତ ଜାଗୁଳା ପଞ୍ଚାୟତ ଜାଗୁଳା ଗାଁରେ । ନବବଧୂ ଜଣେ ଦଳିତ ପରିବାରର ହୋଇଥିବାବେଳେ ଗତ 5 ମାସ ତଳେ ପ୍ରେମ ବିବାହ କରିଥିଲେ । ତାଙ୍କୁ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛି ତାଙ୍କ ପରିବାର ।
ସମ୍ପୂର୍ଣ୍ଣ ଘଟଣା ଅନୁସାରେ, ଧାମରା ପଞ୍ଚାୟତର କର ମାଝାଙ୍କ କନ୍ୟା ସୀମା ମାଝା ଜାଗୁଳା ପଞ୍ଚାୟତର ଅଜୟ ଲେଙ୍କାଙ୍କ ପୁଅ ପୁନିଆ ଲେଙ୍କାଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ବିବାହର 5 ମାସ ପୂର୍ବରୁ ସୀମାଙ୍କୁ ପୁନିଆ ଅପହରଣ କରି ନେଇଥିବା ନେଇ ମେରାଇନ ଥାନାରେ ଅଭିଯୋଗ ହୋଇଥିଲା ।
ପରେ ଦୁଇ ପକ୍ଷ ମଧ୍ୟରେ ଆପୋଷ ସମାଧାନ ପରେ ସୀମାଙ୍କୁ ପୁନିଆ ବିବାହ କରିଥିଲେ l ସୀମା ଜଣେ ଦଳିତ ପରିବାରର ଝିଅ ହୋଇଥିବାରୁ ତାଙ୍କୁ ବିବାହ ପରେ ଶାଶୁଘର ଲୋକ ମାନସିକ ନିର୍ଯାତନା ଦେବା ସହ ହତ୍ୟା କରି ଫ୍ୟାନରେ ଟାଙ୍ଗି ଦେଇଛନ୍ତି ବୋଲି ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ତେବେ ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ