ଭଦ୍ରକ: ଭଦ୍ରକ ଜିଲ୍ଲା ବାଂଶଡା ଥାନାଧିନ ଯଶିପୁରରେ ଏକ ଭଡ଼ା ଘରୁ ଜଣେ ପୋଷ୍ଟାଲ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତା ପୀରହାଟ ଥାନା ଅନ୍ତର୍ଗତ ଦୌଲତପୁର ଗ୍ରାମର ଚନ୍ଦ୍ରମଣୀ ପାଣିଗ୍ରାହୀଙ୍କ ଝିଅ ଅର୍ଚ୍ଚନା ପାଣିଗ୍ରାହୀ ବୋଲି ଜଣାଯାଇଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନଥିବାରୁ ପରିବାର ଲୋକେ ଥାନାରେ ଦ୍ୱାରସ୍ଥ ହେବା ସହିତ ତଦନ୍ତ କରି ଖୁଲାସା କରିବାକୁ ଦାବି କରିଛନ୍ତି ।
ଅର୍ଚ୍ଚନା ସ୍ଥାନୀୟ ଯଶିପୁର କୁଦ ପୋଷ୍ଟ ଅଫିସରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଜଣେ ଦିବ୍ୟାଙ୍ଗ ଯୁବତୀ ହୋଇଥିଲେ ମଧ୍ୟ ଅର୍ଚ୍ଚନାଙ୍କ ବ୍ୟବହାର ଥିଲା ଅତ୍ୟନ୍ତ ମାର୍ଜିତ । ତାଙ୍କର ସେମିତି କେହି ଶତ୍ରୁ ବି ନଥିଲେ । କିନ୍ତୁ, ହଠାତ ତାଙ୍କ ଘରେ ଖବର ପହଞ୍ଚିଲା ଅର୍ଚ୍ଚନା ଆତ୍ମହତ୍ୟା କରିଛି । ପରିବାର ଲୋକେ ଧାଇଁଯାଇ ଦେଖିଲା ବେଳକୁ ଭଡ଼ା ଘରେ ଓଢଣୀରେ ଫ୍ୟାନରେ ଝୁଲୁଛି ଅର୍ଚ୍ଚନା । ଖବର ପାଇଁ ବାଂଶଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି l ଯୁବତୀଙ୍କ ଗୋଡ଼ ମାଟିରେ ଲାଗିଥିବାରୁ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ସୃଷ୍ଟି ହୋଇଛି । ଯଦି ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ତେବେ କାରଣ କ’ଣ ହୋଇପାରେ ? କାର୍ଯ୍ୟ କ୍ଷେତ୍ରରେ କିଛି ସମସ୍ୟା, ପାରିବାରିକ ସମସ୍ୟା ନା ଅନ୍ୟକିଛି ତାହା ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ । ଅର୍ଚ୍ଚନାଙ୍କ ମୃତ୍ୟୁରେ ପୀରହାଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ