ଭଦ୍ରକ: ଶସ୍ୟ ବୀମା ଯୋଜନା ବିଭ୍ରାଟ ନେଇ ଶତାଧିକ ଚାଷୀଙ୍କ ଗଣଧାରଣା । ଭଦ୍ରକ ଜିଲ୍ଲା ବାରସର ସମବାୟ ସମିତିର ଶସ୍ୟ ବୀମା ଯୋଜନାରେ ବିଭ୍ରାଟକୁ ନେଇ ଅତୀତରେ ଚାଷୀମାନଙ୍କ ଦ୍ବାରା ତାଲା ପକାଇ ଆନ୍ଦୋଳନ କରାଯାଇଥିବା ବେଳେ ଗତକାଲି(ଶୁକ୍ରବାର) ଠାରୁ ଗଣଧାରଣା ଦିଆଯାଇଥିବା ଜଣାଯାଇଛି। ବିଭାଗୀୟ ପଦାଧିକାରୀଙ୍କ ପକ୍ଷରୁ ତଦନ୍ତ କରାଯାଇ ସମ୍ପାଦକଙ୍କ ବିରୋଧରେ ବିହିତ ପଦକ୍ଷେପ ଗ୍ରହଣ କରାନଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।
ସୂଚନା ମୁତାବକ ବାରସର ସେବା ସମବାୟ ସମିତିର ଚାଷୀମାନେ ଗତ 2020 ଖରିଫ ଋତୁରେ କୃଷି ଋଣ ନେଇ ଧାନ ଚାଷ କରିଥିଲେ । କୃଷି ଋଣର ଶସ୍ୟ ବୀମା ଯୋଜନା ମାଧ୍ୟମରେ ସମିତିରେ ବୀମା ରାଶି ମଧ୍ୟ ଦେଇଥିଲେ। କିନ୍ତୁ 2020 ଲଘୁଚାପ ଜନିତ ବନ୍ୟାରେ ହୋଇଥିବା ଧାନ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ବନ୍ୟା ହେବା ପରେ କ୍ରପ୍ କଟିଂ ମାଧ୍ୟମରେ ବୀମା କମ୍ପାନୀ 80 ରୁ 90 ପ୍ରତିଶତ କୃଷିଋଣ ଛାଡ଼ କରିବା ପାଇଁ ଧାର୍ଯ୍ୟ କରିଥିଲେ। କିନ୍ତୁ ଛାଡ଼ ହୋଇଥିବା କୃଷିଋଣର ଶସ୍ୟ ବୀମା ରାଶି ଚାଷୀଙ୍କୁ ପ୍ରଦାନ କରିବାରେ ସମିତିର ସମ୍ପାଦିକା ଟାଳଟୁଳ ନୀତି ଅବଲମ୍ବନ କରୁଥିବା ତଥା ଶସ୍ୟ ବୀମା ରାଶିକୁ ବାଟମାରଣା କରି ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଚାଷୀମାନେ ବିଭିନ୍ନ ଅସୁବିଧାରେ ପଡୁଛନ୍ତି।
ଚାଷୀଙ୍କ ଅର୍ଥାଭାବ ହେତୁ ଋଣ ପରିଶୋଧ କରିନପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ଜିଲ୍ଲାପାଳ ଓ ସମବାୟ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ। ମାତ୍ର କୌଣସି ସୁଫଳ ନମିଳିବାରୁ ପରେ ତାଲା ପକାଇ ସମିତିର ସମସ୍ତ କାର୍ଯ୍ୟକୁ ଅଚଳ କରିଥିବା ବେଳେ ଗତକାଲିଠାରୁ ଗଣଧାରଣା ଦିଆ ଯାଇଥିବା ଚାଷୀମାନେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏପଟେ ଶତାଧିକ ଚାଷୀ ଗଣଧାରଣାରେ ସାମିଲ ହୋଇଥିବା ଜଣାଯାଇଛି । ବିଭାଗ ପକ୍ଷରୁ ତୁରନ୍ତ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରା ନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ