ଭଦ୍ରକ: ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକୁ ଅବମାନନା। ଏଭଳି ଅଭିଯୋଗ ହୋଇଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଡିଗ୍ରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ବିଜୟ କୁମାର ଦାସଙ୍କ ବିରୋଧରେ। ପଦବୀ ଓ କ୍ଷମତା ବଞ୍ଚାଇବା ପାଇଁ ମିଥ୍ୟା ତଥ୍ୟ ଦେଉଥିବା ଅଭିଯୋଗ ।
ସୂଚନା ଅନୁଯାୟୀ କୋର୍ଟରେ ମାମଲା ବିଚାରଧିନ ଥିବା ଦର୍ଶାଇ କଲେଜର ପରିଚାଳନା କମିଟିର ସଭାପତିଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ହୋଇଥିବା ନିର୍ଦ୍ଦେଶ ମୁତାବକ ସଂପୃକ୍ତ ଅଧ୍ୟକ୍ଷ ତଥ୍ୟ ଦେଇନଥିବାବେଳେ ତାଙ୍କ ବିରୋଧରେ ଉଚ୍ଚ ଶିକ୍ଷା ବିଭାଗ ବିହିତ ପଦକ୍ଷେପ ନେବାଲାଗି କଲେଜର ପରିଚାଳନା କମିଟିର ସଭାପତି ତଥା ଉପଜିଲ୍ଲାପାଳ ସୁପାରିଶ କରିଥିବା ଜଣାଯାଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୩୦୮୯/ତା ୧୫-୧୨.୨୧ରିଖରୁ ଏହା ସ୍ପଷ୍ଟ ହୋଇଛି । ତେବେ ତାଙ୍କ ବିରୋଧରେ ବିଭାଗ ପକ୍ଷରୁ କେଉଁ ପଦକ୍ଷେପ ନିଆଯାଉଛି ତାହା କେବଳ ଦେଖିବା ବାକି ରହିଲା।
ସୂଚନାଥାଉକି, ପୂର୍ବରୁ କଲେଜରେ ଅଧ୍ୟାପକମାନଙ୍କ ମଧ୍ୟରେ ନିଯୁକ୍ତି ତାରିଖରେ ବରିଷ୍ଠତା ଭିତ୍ତିରେ ଭାରପ୍ରାପ୍ତ ଅଧ୍ୟକ୍ଷ ପଦବୀ ପ୍ରଦାନ କରାଯାଉଥିଲା । ଏହି ପରିପ୍ରେକ୍ଷିରେ ଘଣ୍ଟେଶ୍ୱର ଡିଗ୍ରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ବିଜୟ କୁମାର ଦାସ ଦାୟିତ୍ୱ ଗ୍ରହଣ କରିଥିଲେ । ମାତ୍ର ସରକାରଙ୍କ ପକ୍ଷରୁ ଏହି ନିୟମରେ ପରିବର୍ତ୍ତନ କରାଯାଇଛି। ଅଧ୍ୟାପକମାନଙ୍କ ଜନ୍ମ ତାରିଖ ଅନୁଯାୟୀ ବରିଷ୍ଠତା ନିଆଯାଇ ଭାରପ୍ରାପ୍ତ ଅଧ୍ୟକ୍ଷ ପଦବୀ ପ୍ରଦାନ କରିବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଉପଜିଲ୍ଲାପାଳ ଏନେଇ ଉଚ୍ଚ ଶିକ୍ଷା ବିଭାଗକୁ ବିହିତ ପଦକ୍ଷେପ ନେବାଲାଗି ସୁପାରିଶ କରିଥିବା ବେଳେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।
ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ