ଭଦ୍ରକ: ଧାମନଗର ଉପନାର୍ବାଚନ ପାଇଁ ସରଗରମ ରାଜନୀତି । ଉଠୁଛି ପଡୁଛି ପ୍ରଚାର ମଇଦାନ। ଭୋଟରଙ୍କୁ ଆକର୍ଷିତ କରିବାକୁ କସରତ ଆରମ୍ଭ କରି ଦେଇଛନ୍ତି ପ୍ରାର୍ଥୀ। ଏହାରି ଭିତରେ ବିଜେଡି କର୍ମୀ ମତଦାତାଙ୍କୁ ଟଙ୍କା ଲୋଭ ଦେଖାଉଥିବା ଦେଖିବାକୁ ମିଳିଛି । ବିଜେଡି କର୍ମୀ ଭୋଟରଙ୍କୁ ଖୁଲମଖୁଲା ଟଙ୍କା ଲୋଭ ପ୍ରଲୋଭିତ ଭାଷଣ ଦେଉଥିବା ଏକ ନିର୍ବାଚନୀ ସମ୍ମିଳନୀରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁଯାୟୀ ଧାମନଗର ବ୍ଳକ ଅନ୍ତର୍ଗତ ରାଧାବଲ୍ଲଭପୁରରେ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଧାନମନଗର ଉପନିର୍ବାଚନ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ରାଜ୍ୟସଭା ସାଂସଦ ସୁଲତା ଦେଓ ଏବଂ ସ୍ଥାନୀୟ ନେତା ଏକ ପ୍ରଚାର ରାଲି କରିଥିଲେ । ଏହା ସହ ଏକ ନିର୍ବାଚନୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସେଠାରେ ଲୋକଙ୍କୁ ଭାଷଣ ଦେଇଥିଲେ ଜୟ ଭୋଇ ନାମକ ଜଣେ ବିଜେଡି କର୍ମୀ। ତେବେ ସେ ତାଙ୍କ ସମ୍ବୋଧନରେ କହିଥିଲେ, ଯେଉଁ ପଞ୍ଚାୟତ ବିଜେଡିକୁ ଅଧିକ ଭୋଟ ଦେଇ ବିଜୟୀ କରାଇବ ସେହି ପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ କୋଟିଏ ଟଙ୍କା ପ୍ରଦାନ କରିବେ । ଏହି ଭାଷଣ ଶୁଣି ଉପସ୍ଥିତ ଅନ୍ୟ ନେତାମାନେ ତାଳି ମାରି ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଭାଷଣ ଟଙ୍କା ପ୍ରଳୋଭିତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବିଜେପି ମଧ୍ୟ ଗତକାଲି (ମଙ୍ଗଳବାର) ପ୍ରେସମିଟ କରି ସମାନ ଅଭିଯୋଗ ଆଣିଥିଲା । ଧାମନଗରରେ ଖୋଲାଖୋଲି ଆଚରଣବିଧି ଉଲ୍ଲଂଘନ ହେଉଥିବା ବିଜେପି ଅଭିଯୋଗ କରିଥିଲା । ବିଜେଡି କର୍ମୀ ସମ୍ମିଳନୀରେ ପଞ୍ଚାୟତ ପିଛା କୋଟିଏ ଟଙ୍କା ଅଫର ଦିଆଯାଉଥିବା କହିଥିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।
ଏହା ବି ପଢନ୍ତୁ...ଧାମନଗରରେ ପଞ୍ଚାୟତ ପିଛା କୋଟିଏ ଅଫର ଦେଉଛି ବିଜେଡି: BJP
ପ୍ରକାଶ ଥାଉ କି, ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏ ନେଇ ତିନ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ବିଜେଡି ଅବନ୍ତୀ ସାହୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଛି । ସେହିପରି ଟିକେଟ ନମିଳିବାକୁ ବିଜେଡି ଉପରେ ଅସନ୍ତୋଷ ହୋଇ ପ୍ରାର୍ଥୀ ହୋଇଛନ୍ତି ରାଜେନ୍ଦ୍ର ଦାସ । ନଭେମ୍ବର 3ରେ ନିର୍ବାଚନ ହେବ ଏବଂ 6 ରେ ଫଳ ପ୍ରକାଶ ପାଇବ ।
ଇଟିଭି ଭାରତ, ଭଦ୍ରକ