ସୁବର୍ଣ୍ଣପୁର: ସୋନପୁର ଗଡ଼ଜାତର ଇଷ୍ଟଦେବୀ ମା ସୁରେଶ୍ବରୀ ଗୁରୁବାର ଭୈରବୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ଆଶ୍ବୀନ ଅମାବାସ୍ୟାରେ ଧବଳମୁଖୀ, ପ୍ରତିପଦାରେ କାଳୀ, ଦ୍ବିତୀୟାରେ ତାରା, ତୃତୀୟାରେ ଷୋଡଶୀ, ଓ ଚତୁର୍ଥୀରେ ମା’ଙ୍କର ଭୁବନେଶ୍ବରୀ ବେଶ ଦର୍ଶନ କରିଥିଲେ ଭକ୍ତ ।
ଆଗାମୀ ଦିନରେ ମା ଉଗ୍ରତାରା, ମହିଷାମର୍ଦ୍ଦିନୀ, ତଥା ରାଜରାଜେଶ୍ବରୀ ଆଦି ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ । ମହାଳୟାରୁ ଆରମ୍ଭ କରି ଦଶହରା ପର୍ଯ୍ୟନ୍ତ ବିଭିନ୍ନ ବେଶ ଧାରଣ କରିବାର ପରମ୍ପରା ରହିଛି । ସୋନପୁର ଗଡଜାତର ଏହି ଶାକ୍ତ ପରମ୍ପରାରେ ପୂଜା ଆରାଧନାରେ କାହିଁ କେତେ ପୁରୁଣା । ସହରରେ ଐତିହାସିକ ବଳି ଯାତ୍ରା ଚାଲିଥିବାରୁ ଦେବୀ ମାଙ୍କ ବେଶ ଦର୍ଶନ କରିବା ସହିତ ଦେବୀ କୃପା ଲାଭ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି ଏହି ମା’ଙ୍କ ପୀଠରେ ।
ସନ୍ଧ୍ୟା ଆରତୀ ଦର୍ଶନ କରିବା ସହିତ ବଳି ଯାତ୍ରାରେ ସାମିଲ ହେବା ପାଇଁ କାହିଁ କେତେ ଦୂରରୁ ଭକ୍ତଙ୍କ ସୁଅ ଛୁଟୁଛି ଏହି ଦେବୀ ପୀଠକୁ । ଭକ୍ତମାନେ ଶାନ୍ତି ଶୃଙ୍ଖଳାରେ ଦେବୀଙ୍କ ଦର୍ଶନ କରିବା ପାଇଁ ଦେବୋତ୍ତର ବିଭାଗ ଓ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ