ଭଦ୍ରକ : ଭଦ୍ରକ ଜିଲ୍ଲାରେ ଲାଉଡ଼ସ୍ପିକରରେ ନମାଜ ପାଠକୁ ବିରୋଧ କରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। 7 ଦିନ ମଧ୍ୟରେ ନମାଜ ପାଠ ବନ୍ଦ କରିବାକୁ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଅନୁରୋଧ କରିଛନ୍ତି ।
ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ହରପ୍ରିୟା ସାହୁ କହିଛନ୍ତି ଯେ, " ଭାରତ ଏକ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର। ସବୁ ଧର୍ମର ଏବଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ଏଠି ସମାନ ଅଧିକାର ରହିଛି। କାହା ପାଇଁ ଧର୍ମ ବଡ଼, ତ ଆଉ କାହା ପାଇଁ ପ୍ରାର୍ଥନା ବଡ଼଼। କିନ୍ତୁ ଏହାର ଅର୍ଥ ନୁହେଁ ନିଜର ପ୍ରାର୍ଥନା ନମାଜ ପାଠ ଅନ୍ୟକୁ ଶୁଣାଇବା । କୌଣସି ଧାର୍ମିକ କାର୍ଯ୍ୟକ୍ରମ ହେଲେ ଲାଉଡ଼ସ୍ପିକର ଆଦି ବଢାଇବା ପାଇଁ ଅନୁମତି ନେବାକୁ ପଡିଥାଏ। ଶବ୍ଦ ପ୍ରଦ୍ୟୁଷଣ ବା ବାୟୁ ପ୍ରଦୂଷଣ ପାଇଁ ଦୀପାବଳୀରେ ବାଣ ଫୁଟାଇବା ଠାରୁ ଆରମ୍ଭ କରି ବିବାହ ବ୍ରତରେ ଡିଜେ ଲାଉଡ଼ସ୍ପିକର ବଜାଇବା ଉପରେ ଅଙ୍କୁଶ ଲଗାଯାଇଛି ।"
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜିଲ୍ଲାରେ ଚାଲିଥିବା ଏପରି ପ୍ରାର୍ଥନାକୁ ସେମାନେ ନିଜ ଆଡୁ ବନ୍ଦ କରନ୍ତୁ। ନଚେତ୍ ଜିଲ୍ଲା ପ୍ରଶାସନ ଓ ପୋଲିସ ଏ ଦିଗରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଯଦି ଆଗାମୀ 7 ଦିନ ମଧ୍ୟରେ ଏହାର ସମାଧାନ ନ ହୁଏ, ତେବେ ସହରରେ ହନୁମାନ ଚାଲିଶା ପାଠ ଶୁଣିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ବୋଲି ଚେତାବନୀ ଦେଇଛନ୍ତି ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ। ତେବେ ଏନେଇ ପୋଲିସ କି ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ