ଭଦ୍ରକ: ଜିଲ୍ଲାରେ ପୋଲିସର କଡା ପ୍ରହରା । ମଙ୍ଗଳବାର ଠାରୁ ସନ୍ଧ୍ୟା 7 ରୁ ସକାଳ 7 ପର୍ଯ୍ୟନ୍ତ ଜ଼ିଲ୍ଲାରେ ଲାଗୁ ହେଲା କର୍ଫ୍ୟୁ । ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ମଙ୍ଗଳବାର ସନ୍ଧ୍ୟାରୁ ସହରର ବିଭିନ୍ନ ଛକ ମାନଙ୍କରେ ପୋଲିସ ମୁତୟନ ହେବା ସହ, ପ୍ରଶାସନ ପକ୍ଷରୁ କଡା ପ୍ରହରା ଦିଆଯାଉଛି ।
ଲୋକମାନଙ୍କ ଯିବା ଆସିବା ଗତିବିଧି ଉପରେ ସମ୍ପୂର୍ଣ୍ଣ କଡା ନଜର ରଖିଛି ପୋଲିସ । ପୋଲିସର ସାଇରନ ଶବ୍ଦ ଶୁଣି କିଛି ଅମାନିଆ ଦୌଡିବାକୁ ଲାଗିଥିବାର ଚିତ୍ର ସାମ୍ନାକୁ ଆସିଛି । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ରେଡ ଜୋନରେ ରହିଛି ଭଦ୍ରକ ଜ଼ିଲ୍ଲା । ବର୍ତ୍ତମାନ ବହୁଳ ପରିମାଣରେ ପ୍ରବାସୀ ଓଡ଼ିଆ ଭଦ୍ରକ ଜ଼ିଲ୍ଲାକୁ ଆସୁଛନ୍ତି ।
ଏମାନଙ୍କୁ ପ୍ରଶାସନ ପକ୍ଷରୁ ଥଇଥାନ କରାଯିବା ସହ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଉଛି । କୋରୋନା ସଂକ୍ରମଣକୁ ପ୍ରତିହତ କରିବା ସହ ଲୋକଙ୍କ ନିରାପତ୍ତା ପାଇଁ ଆଜିଠାରୁ ଏହି କର୍ଫ୍ୟୁ ଜାରି କରିବା ନିଷ୍ପତ୍ତି ପ୍ରଶାସନ ପକ୍ଷରୁ ନିଆଯାଇଛି । ଫଳରେ ସାରା ଭଦ୍ରକ ସହର ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇପଡିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ