ଭଦ୍ରକ: ଜିଲ୍ଲାରେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ରହିବ ଅନଲକ 3 । ଜିଲ୍ଲାରେ ଆଣ୍ଟିଜେନ ଟେଷ୍ଟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଣ୍ଟିଜେନ ଟେଷ୍ଟ ସଂଖ୍ୟା ବୃଦ୍ଧି କରାଯାଇଥିବାରୁ ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି। ତେଣୁ ଏଥିରେ ଭୟଭୀତ ହେବାର ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଭଦ୍ରକ ଜିଲ୍ଲାରେ ପ୍ରଥମେ 200 ଟି ଆଣ୍ଟିଜେନ ଟେଷ୍ଟ ହେଉଥିବା ବେଳେ ବର୍ତ୍ତମାନ 400 ଆଣ୍ଟିଜେନ ଟେଷ୍ଟ କରାଯାଉଛି। ଆଗାମୀ ଦିନରେ ଏହା 700 ପର୍ଯ୍ୟନ୍ତ କରାଯିବ ବୋଲି ଜଣାପଡିଛି। ଜିଲ୍ଲାରେ କୋରୋନା କଟକଣା ସମୟରେ ରାତି 7ଟାରୁ କର୍ଫ୍ୟୁ ଜାରି ରହିବ। ଜିଲ୍ଲାରେ ରାତ୍ରି କର୍ଫ୍ୟୁ ସନ୍ଧ୍ୟା 7ଟାରୁ ସକାଳ 5ଟା ଯାଏ ରହିବ। କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତିତ ଅନ୍ୟ ସବୁସେବା ବନ୍ଦ ରହିବ। ସନ୍ଧ୍ୟା 6ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ତେବେ ସନ୍ଧ୍ୟା 6ଟା ଯାଏ, ନିର୍ଦିଷ୍ଟ କଟକଣା ସହ ଦୋକାନ ବଜାର ଖୋଲା ରହିବା ନେଇ ଅନୁମତି ଦିଆଯାଇଛି। ତେବେ ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି। କୋଭିଡ଼ ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ଜୋରିମାନା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏଥିସହ ହୋଟେଲ ମାନଙ୍କୁ ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ସେବା ପ୍ରଦାନ କରିବା ପାଇଁ ଅନୁମତି ଦିଆଯାଇଛି।
ସେପଟେ ବୃଦ୍ଧ, ଶିଶୁ ଓ ଗର୍ଭବତୀ ମହିଳାଙ୍କ ବ୍ୟତିତ ଯୁବ ଗୋଷ୍ଠୀ ମାନେ ମଧ୍ୟ କୋରୋନା ସଂକ୍ରମଣ ନେଇ ସଚେତନ ହେବା ଆବଶ୍ୟକ ବୋଲି ଜିଲ୍ଲାପାଳ କହିଛନ୍ତି। ମୋଟାମୋଟି କୋରୋନା ସଂକ୍ରମଣ ଚେନ ରୋକିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ