ଭଦ୍ରକ: ଶ୍ମଶାନ ଉନ୍ନତିକରଣକୁ ନେଇ ଉତ୍ତେଜନା । ଏଭଳି ଏହିପରି ଏକ ବିବାଦୀୟ ପରିସ୍ଥିତି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ ଥିବା ଭଦ୍ରକ ବ୍ଲକ ଅନ୍ତର୍ଗତ ପରଶିଂଙ୍ଗା ଗ୍ରାମ ପଞ୍ଚାୟତରେ । ଶ୍ମଶାନ ଉନ୍ନତିକରଣ ସହ ନିର୍ମାଣକୁ ବିବାଦ କରି କିଛି ଦୁର୍ବୃତ୍ତ ସରପଞ୍ଚଙ୍କ ସମେତ ଅନ୍ୟାନ୍ୟ କିଛି ଗ୍ରାମବାସୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିସହ ସରପଞ୍ଚଙ୍କୁ ଜାତିଆଣ ଆକ୍ଷେପ କରି ଅନେକ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ତାଙ୍କୁ ମାରି ଦେବା ପାଇଁ ଧମକ ଦେଇଥିବାର ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ଖୋଦ ମହିଳା ସରପଞ୍ଚ ।
ସୂଚନା ମୁତାବକ, ଚଳିତ ମାସ ୧୧ ତାରିଖରେ 5T ସଚିବ ଭିକେ ପାଣ୍ଡିଆନ ଭଦ୍ରକ ଜିଲ୍ଲା ଗସ୍ତ କରି ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥିସହ କେତେକ ନୂତନ ପ୍ରକଳ୍ପର କାର୍ଯ୍ୟକାରିତା ହେବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିପାରନ୍ତି ବୋଲି ସୂଚନା ମଧ୍ୟ ଦେଇଥିଲେ । ଏଥିସହ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକ ମଧ୍ୟରେ ଗ୍ରାମ୍ୟ ଶ୍ମଶାନର ଉନ୍ନତି କରଣ କରିବା ପାଇଁ ବ୍ୟବସ୍ଥା ସରକାରଙ୍କ ପକ୍ଷରୁ ନୀତିଗତ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି । ହେଲେ ଏହି ଶ୍ମଶାନ ଉନ୍ନତି କରଣ ସହ ନିର୍ମାଣକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା ।
ତେବେ ଗ୍ରାମର ଏକ ମାତ୍ର ଶ୍ମଶାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଯାହାକି ମୃତଦେହ ଦାହ କରିବା ପାଇଁ ଜାଗାଟି ସମ୍ପୂର୍ଣ୍ଣ ଅନୁପଯୋଗୀ ହୋଇ ପଡିଥିବା ଦେଖିବାକୁ ମିଳିଛି । ଫଳରେ ଗ୍ରାମବାସୀ ମାନେ ଦୀର୍ଘ ଦିନ ହେବ ମୃତଦେହ ଦାହ କରିବା ପାଇଁ ଅନେକ ପ୍ରତିକୂଳ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛନ୍ତି । ତେଣୁ ଏହି ଶ୍ମଶାନର ଉନ୍ନତିକରଣ ପାଇଁ ସ୍ଥାନୀୟ ସରପଞ୍ଚ ପଦକ୍ଷେପ ଗ୍ରହଣ କରିଥିଲେ । ଏନେଇ ସେ ବ୍ଲକ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ବ୍ଲକ ପକ୍ଷରୁ ଶ୍ମଶାନ ନିର୍ମାଣ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ଏଥିସହ ସରକାରଙ୍କ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଗ୍ରାମ୍ୟ ଶ୍ମଶାନ ଉନ୍ନତି କରଣ କରିବା ପାଇଁ ଥିବା ସରକାରୀ ଯୋଜନା ଅନୁଯାୟୀ ଅନୁଦାନ ମଧ୍ୟ ପ୍ରଦାନ କରାଯାଇଛି ।
ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ପଞ୍ଚାୟତରେ ପଲ୍ଲୀସଭା ଏବଂ ଗ୍ରାମସଭା ଡକା ଯାଇଥିଲା । ପଲ୍ଲୀସଭା ଏବଂ ଗ୍ରାମ ସଭା ନିୟମ ଅନୁଯାୟୀ ଏହାକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ତେଣୁ ଏହାକୁ ପଞ୍ଚାୟତକୁ ହସ୍ତାନ୍ତର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ଏହାକୁ କିଛି ନ୍ୟସ୍ତସ୍ୱାର୍ଥ ଲୋକ ବିରୋଧ କରିବା ଆରମ୍ଭ କରିଥିଲେ । ଯାହାକୁ ସ୍ଥାନୀୟ ସରପଞ୍ଚ ଏବଂ ଗ୍ରାମବାସୀ ମାନେ ପ୍ରତିବାଦ କରିଥିଲେ । ଫଳରେ ବିବାଦର ସୂତ୍ରପାତ ଆରମ୍ଭ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ଗୋଷ୍ଠୀ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି ।
ଇଟିଭି ଭାରତ, ଭଦ୍ରକ