ଭଦ୍ରକ : ଭାଇଚାରାର ସହର ଭଦ୍ରକର ଗଣପର୍ବ ଭାବେ ପରିଚିତ ଶ୍ରୀ ରାମନବମୀ ପୂଜା ବେଶ ଧୁମଧାମରେ ପାଳିତ ହୋଇଥାଏ । ଏହା ତିନିଦିନ ଧରି ଅନୁଷ୍ଠିତ ହୋଇଥାଏ ଏବଂ ଏହି ଉତ୍ସବର ଶେଷ ଦିନରେ ବିଶାଳ ନଗର ସଙ୍କୀର୍ତ୍ତନ ମଣ୍ଡଳୀ ସହର ପରିକ୍ରମା କରିଥାଏ । ସର୍ବଶେଷରେ ଏହା ଶ୍ରୀରାମ ନବମୀ ଦିନ ପୂର୍ଣ୍ଣାହୁତି ହୁଏ ।
ହେଲେ କୋରନା କାଳରେ ଏହା ସମ୍ପୂର୍ଣ୍ଣ ଫିକା ହୋଇଯାଇଛି । ଆସନ୍ତା 21 ତାରିଖ ଭଦ୍ରକରେ ପାଳନ ହେବ ପ୍ରସିଦ୍ଧ ଶ୍ରୀ ରାମନବମୀ ପୂଜା । ଏହି ପୂଜା ପାଇଁ ରାମନବମୀ ମହାଯଜ୍ଞ ସମିତି ପକ୍ଷରୁ ପ୍ରାରମ୍ଭିକ କଳସ ଶୋଭାଯାତ୍ରା ପ୍ରଶାସନିକ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ଆଜି (ସୋମବାର) ତିନି ଭାଗରେ ବିଭକ୍ତ ହୋଇ 108 ମହିଳାଙ୍କ ଦ୍ୱାରା ଏକ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା ।
ଗାନ୍ଧୀ ପଡିଆରୁ ମହିଳା ମାନେ ଶୋଭାଯାତ୍ରାରେ ବାହାରି ସାଳନ୍ଦୀ ନଦୀରେ ଗାଧୋଇବା ସହ କଳସରେ ପାଣି ନେଇ ସହର ପରିକ୍ରମା କରି ଯଜ୍ଞ ମଣ୍ଡପକୁ ଯାଇଥିଲେ । ଏହାପରେ ସେଠାରେ ଘଟ ସ୍ଥାପନ ପରେ ଆରମ୍ଭ ହୋଇଛି ରାମନବମୀ । ଏହି ଉପଲକ୍ଷେ ଅଖଣ୍ଡ ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଏହି ରାମନବମୀ ଏବଂ ଅଖଣ୍ଡ ମହାଯଜ୍ଞକୁ ଦୃଷ୍ଟିରେ ରଖି ଶୃଙ୍ଖଳା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ