ଭଦ୍ରକ: ବାଲ୍ୟ ବିବାହ ଏକ ସାମାଜିକ ଅପରାଧ । କେବଳ ସଚେତନତା ହିଁ ଏଥିପାଇଁ ମହୌଷଧି ଭାବରେ କାମ କରିଥାଏ । ବାଲ୍ୟ ବିବାହକୁ ପ୍ରତିରୋଧ କରି ଭଦ୍ରକ ଜିଲ୍ଲାର ଏକ ସୁଧାର ଗୃହରେ ସଚେତନତାର ଏକ କର୍ମଶାଳା ଅନୁଷ୍ଠିତ ହୋଇଛି ।
୧୮ବର୍ଷରୁ କମ ବାଳିକା କିମ୍ବା ୨୧ ବର୍ଷର କମ ବାଳକର ଶାରିରୀକ ଅଭିବୃଦ୍ଧି ଘଟିଥିଲେ ମଧ୍ୟ ମାନସିକ ସ୍ତରରେ ସେମାନେ ନିଜକୁ ଏକ ପରିବାର ଗଢିବା ପାଇଁ ସକ୍ଷମ ହୋଇ ନ ଥାଆନ୍ତି । ତେଣୁ 18 ବର୍ଷରୁ କମ ହୋଇଥିବା ପିଲାଙ୍କର ବିବାହକୁ ଆମ ସାମାଜରେ ଏକ ଅପରାଧ ବୋଲି ଗ୍ରହଣ କରାଯାଇଛି । ଏଥି ପାଇଁ ଆଇନ ପ୍ରଣୟନ ହୋଇଛି । ପାରିପାର୍ଶ୍ବିକ ପରିସ୍ଥିତି ପରିବେଶକୁ ନେଇ ବାଳକ ବାଳିକାଙ୍କ ପାଇଁ ବୟସ ଧାର୍ଯ୍ୟ ହୋଇଛି । ଏହାର ଉଲ୍ଲଂଘନ କରି ବାଲ୍ୟ ବିବାହ କଲେ ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ତେବେ ଏହି ବାଲ୍ୟ ବିବାହକୁ ପ୍ରତିରୋଧ କରି ଭଦ୍ରକ ଜିଲ୍ଲାର ଏକ ସୁଧାର ଗୃହରେ ଛୋଟ ଛୋଟ ପିଲାମାନଙ୍କ ଦ୍ବାରା ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି । ନାଚ ଗୀତ ଓ ଅଭିନୟ ମାଧ୍ୟମରେ ଲୋକଙ୍କୁ ବାଲ୍ୟ ବିବାହକୁ ନେଇ ସଚେତନ କରାଇଛନ୍ତି । ତେବେ ବାଲ୍ୟ ବିବାହ କ୍ଷେତ୍ରରେ ଭଦ୍ରକ ଜିଲ୍ଲା ଅନ୍ୟ ଜିଲ୍ଲାମାନଙ୍କ ତୁଳନାରେ ଯଥେଷ୍ଟ ଭଲ ସ୍ଥିତିରେ ରହିଛି ବୋଲି ଜଣାପଡିଛି ।
ଏହି ଅବସରରେ ସୁଧାର ଗୃହର ଅନ୍ତେବାସୀ ଛୋଟ ଛୋଟ ପିଲାମାନେ ବାଲ୍ୟ ବିବାହ କରିବା ଏକ ଅପରାଧ ଦର୍ଶାଇ ଏକ ନାଟିକା ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିଶୁ ଯତ୍ନ କେନ୍ଦ୍ର ଓ ସୁଧାର ଗୃହ ଅଧ୍ୟକ୍ଷା ଯୋଗମାୟା ଚାନ୍ଦ ପରିଚାଳନା କରିଥିଲେ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ