ଭଦ୍ରକ: ଭଦ୍ରକ ରେଳ ଷ୍ଟେସନ ପରିସରରେ ବେଆଇନ ଯାତ୍ରୀ ପରିବହନକୁ ନେଇ ଯାତ୍ରୀବାହୀ ବସ ଏବଂ ଅଟୋ ଚାଳକଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଯାତ୍ରୀବାହୀ ବସ୍ର ବେଆଇନ ଅନୁପ୍ରବେଶକୁ ନେଇ ବାରମ୍ବାର ଭଦ୍ରକ ଜିଲ୍ଲା ପରିବହନ ବିଭାଗ ନିକଟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଧର୍ମକୁ ଆଖିଠାର ମାରିବା ଭଳି ପରିବହନ ବିଭାଗ ଚୁପ୍ ରହିଥିଲା । ଯାହାକୁ ନେଇ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦରଙ୍କ ନିକଟରେ ଅଟୋ ରିକ୍ସା ମାଲିକ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ରେଳ ଷ୍ଟେସନ ପରିସରରେ ଦୀର୍ଘ ବର୍ଷ ଧରି ଅଟୋ ରିକ୍ସା ଚାଳକମାନେ ଜିଲ୍ଲା ପ୍ରଶାସନ ତଥା ପରିବହନ ବିଭାଗ ପକ୍ଷରୁ ଅନୁମତି ପାଇ ରେଳଯାତ୍ରୀ ତଥା ଅନ୍ୟ ଯାତ୍ରୀମାନଙ୍କୁ ଭଦ୍ରକ ରେଳ ଷ୍ଟେସନ ନିକଟରୁ ବସ ଷ୍ଟାଣ୍ଡ, ହସ୍ପିଟାଲ୍, ନର୍ସିଂହୋମ, କୋର୍ଟ, କଚେରୀ ବଜାର, ଚନ୍ଦନ ବଜାର ଭଳି ସହରର ବିଭିନ୍ନ ସ୍ଥାନକୁ ନୀରବଚ୍ଛିନ୍ନ ଭାବେ ଯାତ୍ରୀ ପରିବହନ ସେବା ଯୋଗାଇ ଦେଇଥାଆନ୍ତି । ଯାହା ରୋଜଗାର କରନ୍ତି, ସେଥିରେ ଅଟୋ କ୍ରୟ ପାଇଁ କରିଥିବା ଋଣ ପରିଶୋଧ କରିବା ସହ ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି ବୋଲି ଜଣାପଡିଛି । ଏହା ବ୍ୟତୀତ ଏହି ଅଟୋ ଚାଳକମାନଙ୍କ ଅନ୍ୟ କୌଣସି ଆୟର ଉତ୍ସ ନାହିଁ । ହେଲେ ଷ୍ଟେସନ ପରିସରରୁ କେତେକ ବସ ବେଆଇନ ଭାବେ ଯାତ୍ରୀମାନଙ୍କୁ ନେଉଥିବାରୁ ତାହାର ପ୍ରତିବାଦ ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ- ପଞ୍ଚାୟତ ସମିତି ସଦସ୍ୟ ଓ ସରପଞ୍ଚଙ୍କ ମଧ୍ୟରେ ତୁତୁ ମେଁ ମେଁ, BDOଙ୍କୁ ଦାବିପତ୍ର
ସଂଘର ମୁତାବକ, ଟ୍ରେନ୍ ଯୋଗେ ଭଦ୍ରକକୁ ପହଞ୍ଚୁ ଥିବା ଯାତ୍ରୀଙ୍କୁ ବସ୍ଷ୍ଟାଣ୍ଡ, ହସ୍ପିଟାଲ ଅଥବା ଘରେ ପହଞ୍ଚାଇଥାନ୍ତି ଅଟୋ ରିକ୍ସା ଚାଳକ । ଏଥିରୁ ଅଟୋ ରିକ୍ସା ମାଲିକ ଜୀବିକା ନିର୍ବାହ କରିଥାନ୍ତି । କିନ୍ତୁ କେତେକ ବସ ଆବଶ୍ୟକ ପରମିଟ ନଥାଇ ମଧ୍ୟ ଷ୍ଟେସନ ପରିସରରେ ଘଣ୍ଟା ଘଣ୍ଟା ପାର୍କିଂ କରୁଛନ୍ତି ଏବଂ ଯାତ୍ରୀ ନେବା ଆଣିବା କରିବା ଯୋଗୁଁ କରଜରେ ବୁଡ଼ିଥିବା ଅଟୋ ରିକ୍ସା ମାଲିକଙ୍କ ଜୀବିକା ଉଚ୍ଛନ୍ନ ହେବାରେ ଲାଗିଛି । ଏ ସମ୍ପର୍କରେ ପୂର୍ବରୁ ପୋଲିସ ଏବଂ ପରିବହନ ବିଭାଗକୁ ଅବଗତ କରି କିଛି ସୁଫଳ ନମିଳିବାରୁ ଶେଷରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ହସ୍ତକ୍ଷେପ ଲୋଡ଼ିଛି ଅଟୋରିକ୍ସା ମାଲିକ ସଂଘ । ଯଦି ଏନେଇ କୌଣସି ପ୍ରକାର ପଦକ୍ଷେପ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ପ୍ରତିବାଦ ପାଇଁ ପରିବାର ସହ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଅଟୋ ରିକ୍ସା ମାଲିକ ସଂଘ ।
ଇଟିଭି ଭାରତ, ଭଦ୍ରକ