ବରଗଡ: ଝରଣାରେ ସ୍ନାନ ବେଳେ ପଥରରେ ଫସି ଯୁବକଙ୍କ ମୃତ୍ୟୁ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଲକରେ ଥିବା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ତଥା ଛତିଶଗଡ ରାଜ୍ୟର ଗଙ୍ଗା କୁହାଯାଉଥିବା ନୃସିଂହନାଥ ଠାରେ ଘଟିଛି ଏହି ଅଘଟଣ । ଗନ୍ଧମାର୍ଦନ ପାହାଡ ତଳେ ରହିଥିବା ଭଗବାନ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କର ଦର୍ଶନ ପାଇଁ ଦୂରଦୂରାନ୍ତରୁ ଲୋକେ ଆସୁଥିବା ବେଳେ ସେଠାରେ ରହିଥିବା ଝରଣାରେ ଗାଧୋଇବାର ମଜା ନେଇଥାନ୍ତି ଅନେକ ପର୍ଯ୍ୟଟକ । ତେବେ ଗତକାଲି ଦ୍ବିପହର ପ୍ରାୟ ୨ଟା ସମୟରେ ବରଗଡ଼ ନିକଟ ଚକୁଳିଫାର୍ମ ଅଞ୍ଚଳରୁ କିଛି ପର୍ଯ୍ୟଟକ ଆସିଥିଲେ । ସେମାନେ ସମସ୍ତେ ଭୀମ ଧାର ଜଳପ୍ରପାତରେ ଗାଧୋଇବା ପାଇଁ ଯାଇଥିବା ବେଳେ ସେମାନଙ୍କ ଭିତରୁ ଶ୍ରୀରାମବାସନ ସେଠି ନାମକ ଜଣେ ଯୁବକ ଭୀମଧାର ତଳେ ସ୍ନାନ କରୁଥିବା ବେଳେ ପଥର ଭିତରେ ଫସି ଯାଇଥିଲେ ।
ଏହା ଦେଖି ଘଟଣାସ୍ଥଳରେ ପରିବାର ଲୋକ ଉଦ୍ଧାର କରିବା ପାଇଁ ଚିତ୍କାର କରିଥିଲେ । ଖବର ପାଇ ମନ୍ଦିର କର୍ମଚାରୀ ସ୍ବେଚ୍ଛାସେବୀମାନେ ସେଠାକୁ ଉଦ୍ଧାର କରିବା ପହଞ୍ଚିଥିଲେ । ହେଲେ ସେମାନେ ଉଦ୍ଧାର ନକରିପାରିବାରୁ ସେମାନେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ତୁରନ୍ତ ପାଇକମାଲ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କ ଦୀର୍ଘ ପ୍ରୟାସ ପରେ ଫସି ରହିଥିବା ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପାଇକମାଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଯୁବକର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପାଇକମାଲରୁ ପଦ୍ମପୁର ଉପାଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରି ଦିଆଯାଇଥିଲା । ପଦ୍ମପୁରରେ ଡାକ୍ତର ଶ୍ରୀରାମକୁ ମୃତ ଘୋଷଣା କରିଥିଲେ । ତେବେ ପଦ୍ମପୁର ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ମୃତଦେହ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।
ପ୍ରକାଶ ଥାଉକି, ଗତ ଗୁରୁବାର ଅପରାହ୍ନରେ ପ୍ରଳୟଙ୍କାରୀ କାଳବୈଶାଖୀର ତାଣ୍ଡବରେ ମାଲକାନଗିରିର ସତୀଗୁଡ଼ା ଜଳଭଣ୍ଡାରରେ ଦୁଇଟି ହୁଲିଡଙ୍ଗାରେ ମାଛ ଧରୁଥିବା ବେଳେ ଡଙ୍ଗା ବୁଡି ଦୁଇଜଣ ମତ୍ସ୍ୟଜୀବୀ ନିଖୋଜ ଥିଲେ । ଭିମାରାଙ୍ଗିଣୀ ଗ୍ରାମର ତୁଳସା ମାଡ଼ି(୩୫) ଓ ଏମଭି୧୧୧ ଗ୍ରାମର ଗୋବିନ୍ଦ ସର୍ଦ୍ଦାର ଜଳଭଣ୍ଡାରରେ ନିଖୋଜ ହୋଇଥିଲେ । ସେ ଦୁଇ ନିଖୋଜଙ୍କୁ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ଗୁରୁବାରଠାରୁ ଜଳଭଣ୍ଡାରରେ ଖୋଜିବା ଆରମ୍ଭ କରିଦେଇଥିଲେ । ଶୁକ୍ରବାର ସକାଳୁ ପୁର୍ନବାର ଖୋଜା ଆରମ୍ଭ ହୋଇଥିଲା । ଶୁକ୍ରବାର ସକାଳେ ଭମାରଙ୍ଗିଣି ଗ୍ରାମର ନିଖୋଜ ମହିଳା ମତ୍ସ୍ୟଜୀବୀ ତୁଳସା ମାଡ଼ିଙ୍କ ମୃତଦେହ ଜଳଭଣ୍ଡାର ମଧ୍ୟରୁ ଉଦ୍ଧାର ହୋଇଥିଲା । ଅନ୍ୟଜଣେ ନିଖୋଜ ଏମଭି ୧୧୧ ଗ୍ରାମର ଗୋବିନ୍ଦ ସର୍ଦାରଙ୍କର କିଛି ପତ୍ତା ମିଳିନଥିଲା । ଗତକାଲି ଭୋରରୁ ପୁଣିଥରେ ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଦଳ ସତୀଗୁଡା ଜଳଭଣ୍ଡାରର ବିଭିନ୍ନ ସ୍ଥାନରେ ଜୋରଦାର ଖୋଜାଖୋଜି କରିଥିଲେ । ସକାଳ ୬ଟାରେ ନିଖୋଜ ଗୋବିନ୍ଦଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
ଇଟିଭି ଭାରତ, ବରଗଡ