ବରଗଡ: ସାମାନ୍ୟ ବଚସାରୁ ଗଣ୍ଡଗୋଳ । ଏହା ପରେ ରକ୍ତପାତ । ବରଗଡ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ପୁଟୁକି ଗ୍ରିଞ୍ଜେଲ ଗ୍ରାମର ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଗଣ୍ଡଗୋଳ ଏବଂ ପରେ ହତ୍ୟାକାଣ୍ଡ ଘଟିଛି । ଦୁଇ ପଡୋଶୀ ମଧ୍ୟରେ ସାଧାରଣ କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା । 3 ଜଣଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରାଯାଇଥିଲା । ଆକ୍ରମଣକାରୀ ଜଣେ ମହିଳାଙ୍କୁ ଖଟ ବାହିରେ ଆକ୍ରମଣ କରି ଦିନ ଦୁଇପ୍ରହରରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ 8 ଜଣ ଅପରାଧୀକୁ ଗିରଫ କରିଛି ବିଜେପୁର ପୋଲିସ । ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ ବିଜେପୁର ଥାନା ଅନ୍ତର୍ଗତ ପୁଟୁକି ଗ୍ରିଞ୍ଜେଲ ଗ୍ରାମର କୃଷ୍ଣଚାନ୍ଦ୍ର ବାଗ ସେହି ଗ୍ରାମର ପୋଖରୀରୁ ନିଜ ଘରକୁ ମାଟି ବୋହୁଥିଲେ । ଏହି ସମୟରେ ପାଖ ପଡୋଶୀ ସତ୍ୟ ବାଗଙ୍କ ଘର ସାମ୍ନା ରାସ୍ତା ଦେଇ ମାଟି ବୋହି ନେବାକୁ ସତ୍ୟବାଗ ମନା କରିଥିଲେ । ତେବେ ସର୍ବସାଧାରଣ ରାସ୍ତାରେ ସମସ୍ତେ ଯିବା ଆସିବା କରୁଛନ୍ତି ଏବଂ ଆମେ କାହିଁକି ନଯିବୁ କହିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହାପରେ ଏହା ଉଗ୍ରରୂପ ଧାରଣ କରିଥିଲା । ଗଣ୍ଡଗୋଳ ବଢିଥିଲା । ସତ୍ୟ ବାଗ ଏବଂ ତାଙ୍କର ଦୁଇ ପୁଅ ମଧୁସୂଦନ ବାଗ ଓ ରାଜେନ୍ଦ୍ର ବାଗଙ୍କ ସହିତ ଅନ୍ୟ 5 ଜଣ ମିଶି କୃଷ୍ଣ ଚନ୍ଦ୍ର ବାଗଙ୍କୁ ଦୁର୍ବ୍ୟବହାର କରିବା ସହିତ ଧକ୍କା ମାରୁଥିଲେ । ଏହା ଦେଖି କୃଷ୍ଣଚନ୍ଦ୍ର ବାଗଙ୍କର ସ୍ତ୍ରୀ କେତକୀ ବାଗ, ଭାଇ ମୋହନ ବାଗ ଏବଂ ମୋହନ ବାଗଙ୍କ ସ୍ତ୍ରୀ ମମତା ବାଗ ଆସି ଗଣ୍ଡଗୋଳ ନକରିବାକୁ କହି ସେମାନଙ୍କୁ ରୋକିବାକୁ ଯାଇଥିଲେ । କିନ୍ତୁ ଅପରପକ୍ଷରୁ ସମସ୍ତେ ସେମାନଙ୍କୁ ଠେଙ୍ଗା ବାଡି ଧରି ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିଲେ ।
ଏହା ବି ପଢନ୍ତୁ...ସରଗାଦିରେ କିଡନୀ ରୋଗ ଆତଙ୍କ: 15 ବର୍ଷରେ ଗଲାଣି 20 ଜୀବନ, ଏବେବି 40 ଆକ୍ରାନ୍ତ
ଏହା ବି ପଢନ୍ତୁ...ଜେଲରୁ ଚମ୍ପଟ ମାରିଲା କଏଦୀ, ବୁଦା ଭିତରୁ ଘୋଷାଡି ଆଣିଲା ପୋଲିସ
ଆକ୍ରମଣରେ ମମତା ବାଗଙ୍କର ମୁଣ୍ଡରେ ଗୁରୁତର ଆଘାତ ଲାଗିବାରୁ ସେ ତଳେ ପଡିଯାଇଥିଲେ । ଆକ୍ରମଣକାରୀ ଅନ୍ୟମାନଙ୍କୁ ମଧ୍ୟ ଆକ୍ରମଣ କରି ଚାଲିଥିଲେ । ସଙ୍ଘବଦ୍ଧ ଆକ୍ରମଣରେ ମୋହନ ବାଗ, ମମତା ବାଗ ଓ କେତକୀ ବାଗ ଗୁରୁତର ଆହତ ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମମତା ବାଗଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ କେତକୀ ବାଗ ଏନେଇ ବିଜେପୁର ଥାନାରେ ଏତଲା ଦେବାପରେ ବିଜେପୁର ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ସମସ୍ତ 8 ଜଣ ଆକ୍ରମଣକାରୀଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତ ପୁଟୁକି ଗ୍ରିଞ୍ଜେଲ ଗ୍ରାମର । ହତ୍ୟାରେ ବ୍ୟବହୃତ ଖଟ ବାହୀକୁ ପୋଲିସ ଜବତ କରିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରାଯାଇଛି । ହତ୍ୟାକାଣ୍ଡ ଘଟଣାରେ 8 ଜଣ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ 17 ବର୍ଷର ନାବାଳକ ମଧ୍ୟ ରହିଥିବା ପୋଲିସ ସୂଚନା ଦେଇଛି ।
ଇଟିଭି ଭାରତ, ବରଗଡ