ବରଗଡ: ବରଗଡରେ ବୀଭତ୍ସ ହତ୍ୟାକାଣ୍ଡ । ରକ୍ତ ରଞ୍ଜିତ ହେଲା ଝରଣାର ସ୍ରୋତ । ଝରଣାକୁ ଗାଧୋଇବାକୁ ଯାଇଥିବା ବେଳେ ମହିଳାଙ୍କୁ ନିର୍ମମ ହତ୍ୟା । ଏଭଳି ହତ୍ୟାକାଣ୍ଡ ଘଟିଛି ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଜର୍ଜଗଡ ଠାରେ । ମୃତ ମହିଳାଙ୍କ ଗ୍ରାମ ଜର୍ଜଗଡ ହୋଇଥିବା ବେଳେ ପରିଚୟ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି । କେହି ଦୁର୍ବୃତ୍ତ ମହିଳାଙ୍କୁ ହତ୍ୟା କରିଥିବା ବେଳେ କାରଣ ଜଣାପଡିନାହିଁ ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ମୃତ ମହିଳା ଜଣଙ୍କ ନିକଟସ୍ଥ ଜଙ୍ଗଲରେ ଥିବା ଝରଣାକୁ ତାଙ୍କ ଭଉଣୀଙ୍କ ସହ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଝରଣାରେ ମୃତଦେହକୁ ଫୋପାଡି ଦେଇଥିଲା । ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କୁ ଦେଖିବାକୁ ପାଇଥିଲେ । ତାଙ୍କ ବେକକୁ ଧାରୁଆ ଅସ୍ତ୍ରରେ କେହି ଆକ୍ରମଣ କରି ହତ୍ୟା କରିଥିବା ଜାଣିପାରି ପାଇକମାଳ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ଏହି ଘଟଣାର ଅଧିକ ତଦନ୍ତ ପାଇଁ ବଲାଙ୍ଗୀର ଜିଲ୍ଲାରୁ ଅନୁସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ତଦନ୍ତ ଜାରି ରଖିଛି । ତେବେ ମୃତ ମହିଳାଙ୍କ ବେକରେ ଗଭୀର ଆଘାତ ଲାଗିଥିବା ବେଳେ ଶରୀରରେ କ୍ଷତ ଚିହ୍ନ ରହିଛି । ପୋଲିସ ସେହି ଗ୍ରାମର ଜଣେ ଯୁବକକୁ ସନ୍ଦେହ କରୁଥିବା ବେଳେ ବର୍ତ୍ତମାନ ସେ ଫେରାର ଥିବା ଜଣାପଡିଛି । ତେବେ ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ନାଁ ପୂର୍ବ ଶତ୍ରୁତାକୁ ନେଇ ଏପରି ଘଟିଛି ତାହା ସ୍ପଷ୍ଟ ହୋଇପାରିନାହିଁ ।
ତେବେ ମହିଳା ଜଣକ ତାଙ୍କ ଭଉଣୀ ସହିତ ଝରଣାକୁ ଗାଧୋଇବାକୁ ଆସିଥିବା ବେଳେ ହତ୍ୟା ସମୟରେ ଭଉଣୀ ଥିଲେ କେଉଁଠି ? ତାଙ୍କ ଭଉଣୀ ହତ୍ୟାକାରୀକୁ ଦେଖିଛନ୍ତି କି ? କିଏ ସେ ହତ୍ୟାକାରୀ ଏପରି ଅନେକ ପ୍ରଶ୍ନ ନେଇ ପୋଲିସ ମୃତ ମହିଳାଙ୍କ ଭଉଣୀକୁ ପଚାରାଉଚରା କରୁଛି । ଯାହା ଅନୁମାନ କରାଯାଉଛି ହତ୍ୟାକାରୀ ବିଷୟରେ ପୋଲିସ ଶୀଘ୍ର ଖୁଲାସା କରିବ ।
ବୁଧବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ବିପୁଳିଙ୍ଗି ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ଘରେ ପଶି ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ମୃତ ମହିଳା ଜଣକ ହେଉଛନ୍ତି ସୁପ୍ରଭା ଚୌଧୁରୀ । ବିଳମ୍ବିତ ରାତିରେ ଏହି ହତ୍ୟା ଘଟଣା ଘଟିଥିବା ବେଳେ କାରଣ ଅସ୍ପଷ୍ଟ ରହିଛି ।
ଇଟିଭି ଭାରତ, ବରଗଡ