ବରଗଡ: ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମାଣ ହୋଇଥିବା କୋଭିଡ ହସ୍ପିଟାଲର ପ୍ରସ୍ତୁତି ଦେଖିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ 5 ‘ଟି’ ସଚିବ ଭିକେ ପାଣ୍ଡିଆନ ଆଜି ବରଗଡ ଜିଲ୍ଲାକୁ ଗସ୍ତ କରିଥିଲେ ।
ପୂର୍ବାହ୍ନ 11 ଟା ସମୟରେ ବଲାଙ୍ଗୀର କୋଭିଡ ହସ୍ପିଟାଲ ପରିଦର୍ଶନ କରି ସାରିବା ପରେ ବରଗଡରେ ଆସି ପହଞ୍ଚିଥିଲେ । ଜିଲ୍ଲାରେ ଦୁଇଟି ସମୁଦାୟ ୨୦୦ ବେଡ଼ ବିଶିଷ୍ଟ କୋଭିଡ ହସ୍ପିଟାଲ ନିର୍ମାଣ କାମ ପ୍ରସ୍ତୁତି ଚାଲିଥିବା ବେଳେ ଏହାର ପରିଦର୍ଶନ ପାଇଁ ଉଭୟେ ବରଗଡକୁ ଆସି ପହଞ୍ଚିଥିଲେ ।
![VK Pandian visited covid Hospital under construction in Bargarh](https://etvbharatimages.akamaized.net/etvbharat/prod-images/od-bar-covidhospital-7203682_18042020161001_1804f_1587206401_612.png)
ବରଗଡର ଏହି କୋଭିଡ଼ ଚିକିତ୍ସା କେନ୍ଦ୍ର ମୋଟ 200 ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ସରକାରୀ ବହୁ ବୃତ୍ତି ବୈଷୟିକ ଶିକ୍ଷା କେନ୍ଦ୍ରରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଣ୍ଟର ଏବଂ ଜନନୀ ଓ ଶିଶୁ ଚିକିତ୍ସାଳୟ ଠାରେ ସଜ୍ଜିତ ୧୦୦ ଟି ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ନିର୍ମିତ ହୋଇଛି ।
ଏହି କୋଭିଡ କେୟାର ହସ୍ପିଟାଲ ବରଗଡର ବିକାଶ ମଲ୍ଟି ହସ୍ପିଟାଲ ଦ୍ଵାରା ପରିଚାଳିତ ହେବାପାଇଁ ନିଷ୍ପତି ନିଆଯାଇଥିବା ବେଳେ ଏହାର ନିର୍ମାଣ ପାଇଁ ଭାରତୀୟ ତୈଳ ନିଗମ ଅନୁଦାନ ଯୋଗାଇ ଦେଇଥିବା ସୂଚନା ମିଳିଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ ଷ୍ଟାଫମାନେ ମଧ୍ୟ କୋଭିଡ ଚିକିତ୍ସାଳୟ ପରିଚାଳନାର କାର୍ଯ୍ୟରେ ସହଯୋଗ କରିବେ । ତେବେ ଉଚ୍ଚ ସ୍ତରୀୟ ଏହି ପରିଦର୍ଶନରେ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସପି ପଦ୍ମିନୀ ସାହୁ ମଧ୍ୟ ଉପସ୍ଥିତ ଥିଲେ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ