ବରଗଡ଼: ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ । ଗାଡ଼ି ଚକା ତଳେ ଆଖି ବୁଜିଲେ 4 ଶ୍ରମିକ । ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି । ବିଳମ୍ବିତ ରାତିରେ କିଛି ଶ୍ରମିକ ଶୋଇଥିବା ବେଳେ ସେମାନଙ୍କ ଉପରେ ନଳକୂପ ଖନନ ଟ୍ରକ ମାଡି ଯାଇଥିଲା । ଦୁର୍ଘଟଣାରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତକ ସମସ୍ତ ବାହାର ରାଜ୍ୟର ହୋଇଥିବା ଜଣାପଡିଛି । ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଟ୍ରକ ଡ୍ରାଇଭରକୁ ଅଟକ ରଖିଛି ପୋଲିସ ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ବୁଧବାର) ବିଳମ୍ବିତ ରାତିରେ ବିର୍ଜାମ ଅଞ୍ଚଳରେ ଦୁଇଟି ବୋରୱେଲ ଟ୍ରକ ନଳକୂପ ଖନନ କରୁଥିଲେ । ଗୋଟେ ଟ୍ରକର ତେଲ ଶେଷ ହୋଇଯିବାରୁ ଅନ୍ୟ ବୋରୱେଲ ଟ୍ରକଟି ତେଲ ଆଣିବାକୁ ଯାଇ ଫେରିଥିଲା । ଏହି ସମୟରେ ସେଠାରେ ତଳେ ପାଲ ପକାଇ ଶୋଇଥିବା ଶ୍ରମିକଙ୍କ ଉପରେ ଅଜାଣତରେ ଟ୍ରକଟି ମାଡ଼ି ଯାଇଥିଲା l ଫଳରେ ଘଟଣାସ୍ଥଳରେ 4 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ମେଲଛାମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟ୍ରକ ଡ୍ରାଇଭରକୁ ଅଟକ ରଖାଯାଇଛି l
ତେବେ ମୃତକ ମାନେ ହେଲେ ବାଳାଘାଟ ଜିଲ୍ଲା କୋନକ ଗ୍ରାମର 34 ବର୍ଷୀୟ ଫଗନ ସିଂ ଧୂବେ , ଅଜଗରା ଗ୍ରାମର 23 ବର୍ଷୀୟ ବିଷ୍ଣୁ ମେରବାଇ, ଦାମୋ ଜିଲ୍ଲା ଆମଝୋର ଗ୍ରାମର 21 ବର୍ଷୀୟ ଶଙ୍କର ଆଦାବାସୀ ଓ ଛତିଶଗଡ଼ର 20 ବର୍ଷୀୟ ରାଜେଶ କୁମାର ନେତମ ବୋଲି ଜଣାପଡିଛି । ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଶ୍ରମିକ ଜଣକ ମଧ୍ୟପ୍ରଦେଶର ଡାମ୍ବୁ ଜିଲ୍ଲା ଆଟା ଗ୍ରାମର ବୋଲି ଜଣାପଡ଼ିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ତାମିଲନାଡୁ ରାଜ୍ୟର 49 ବର୍ଷୀୟ ଶ୍ରୀନିବାସନ ସୀତାରମଣ ବୋଲି ଜଣାପଡ଼ିଛି ।
ଅନ୍ୟପଟେ ଆହତ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କେତେ ଦିନ ହେବ ଶ୍ରମିକମାନେ ନଳକୂପ ଖନନ କାର୍ଯ୍ୟରେ ନିୟୋଜିତ ଥିଲେ ସେନେଇ ମଧ୍ୟ ସୂଚନା ହସ୍ତଗତ ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ମୃତକଙ୍କ ପରିଚୟ ପାଇବା ପରେ ପୋଲିସ ସେମାନଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ଅବଗତ କରାଇବ ।
ଏହା ମଧ୍ୟ ପଢନ୍ତୁ-ଟ୍ରକ ଧକ୍କାରେ 2 ମୃତ, ଅତାବିରାରେ ଉତ୍ତେଜନା
ଗତ ବର୍ଷ ସେପ୍ଟେମ୍ବର ମାସରେ ଜିଲ୍ଲାର ଅତାବିରାଠାରେ ସଡକ ଦୁର୍ଘଟଣା ଘଟିଥିଲା । ଏଥିରେ 2 ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଉତ୍ତେଜିତ ଲୋକ ଘଟଣାସ୍ଥଳରେ ଜାଳି ଦେବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା ।
ଇଟିଭି ଭାରତ, ବରଗଡ