ବରଗଡ଼: ପ୍ରଚଣ୍ଡ ରୌଦ୍ର ତାପ, ଗ୍ରୀଷ୍ଣ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଏଥିରୁ ରକ୍ଷା ପାଇବା ପାଇଁ କିଏ ଏସି ତ ଅନ୍ୟ କିଏ କୁଲର ବ୍ୟବହାର କରୁଛନ୍ତି । ତେବେ ଏହି ଆଧୁନିକ ମେସିନ ଫାସରେ ପଡ଼ିବା ପରେ ଏକ ପାରମ୍ପରିକ ବେଉସା ବୁଡ଼ିବାକୁ ବସିଛି । ପୂର୍ବରୁ ଗରମରୁ ରକ୍ଷା ପାଇବା ପାଇଁ ଘରେ ବେଣାଚେର ପରଦା ବ୍ୟବହାର ହେଉଥିବାବେଳେ ଏବେ ଏହାର ଚାହିଦା କମିବାରେ ଲାଗିଛି ।
ଗ୍ରୀଷ୍ମଋତୁ ଆସିଲେ ଆରମ୍ଭ ହୁଏ ବେଣାଚେର ପରଦା ବ୍ୟବସାୟ । ପୂର୍ବରୁ ବରଗଡ଼ ଜିଲ୍ଲା ସଦର ବ୍ଲକ ଗାଁ ନିଳେଶ୍ବର ଗ୍ରାମବାସୀଙ୍କ ଏହା ମୂଳ ବ୍ୟବସାୟ ଥିଲା । କିନ୍ତୁ ସମୟ ସହିତ ଏହି ବ୍ୟବସାୟରୁ କାରୀଗର ଏବେ ମୁହଁ ଫେରାଇ ବସିଲେଣି । କାରଣ ଆଗ ଭଳି ବେଣାଚେର କାରୀଗରଙ୍କୁ ସେମାନଙ୍କ ପରଦାର ଉଚିତ ମୂଲ୍ୟ ମିଳୁନି ।
ବେଣାଚେର ପରଦା ବୁଣିବାକୁ ନିଳେଶ୍ବର ଗାଁରେ ପୁରା ପରିବାର ଲାଗିପଡ଼େ । ତେବେ ଉଚିତ ମୂଲ୍ୟ ମିଳୁନଥିବାରୁ ଗାଁରେ ଆଉ ଅଳ୍ପ କିଛି ପରିବାର ଏହି ବ୍ୟବସାୟ କରି ପରିବାର ଚଳାଉଛନ୍ତି । ତେବେ ଏମାନଙ୍କୁ କିଛି ସରକାରୀ ସହୟତା ଯୋଗାଇ ଦିଆଗଲେ ବେଣାଚେରକୁ ନେଇ କିଛି ନୂଆ ପ୍ରୟାସ କରି ପାରିପାରନ୍ତେ କାରୀଗର ।
ଏକ ଜଙ୍ଗଲଜାତ ଘଞ୍ଚ ଘାସ ହେଉଛି ବେଣାଚେର । ମୁଖ୍ୟତଃ ନଦୀପଠାରେ ଏଭଳି ଘାସ ଦେଖାଯାଏ । ପ୍ରଥମେ ଏହାକୁ ଖୋଳି ଏହାର ଚେରକୁ ଭଲ ଭାବେ ସଫା କରାଯାଏ । ଏହାପରେ ବାଉଁଶ ପାତିଆରେ ଏହାକୁ ବୁଣି ପ୍ରସ୍ତୁତ ହୁଏ ବେଣାଚେର ମସାରୀ ବା ପରଦା । ସାଧାରଣତଃ ଲୋକେ ଘର ଝରକା ଫାଙ୍କରେ ଏହି ପରଦା ଲଗାଇଥାଆନ୍ତି । ଏହାଦ୍ବାରା ଗ୍ରୀଷ୍ଣ ଋତୁରେ ପରଦା ଦେଇ ଥଣ୍ଡା ପବନ ଆସିଥାଏ । ତା ସହିତ ଏହି ପରଦାରୁ ଏକ ସୁଗନ୍ଧିତ ବାସ୍ନା ମଧ୍ୟ ଆସିଥାଏ ।
ଆଜିର ଦିନରେ ଏହି ବେଣାଚେର ମସାରୀ ବା ପରଦା ସ୍ଥାନ ନେଇଛି ଏସି ଓ କୁଲର । ଲୋକେ ଆଉ ବେଣାଚେର ମସାରୀ ବା ପରଦାକୁ ମନେ ପକାଉ ନାହାନ୍ତି । ଏଥିପାଇଁ ଧୀରେଧୀରେ ଏହି କାରିଗରୀ ଲୋପ ପାଇବାକୁ ବସିଛି । ବରଗଡ଼ ନୀଳେଶ୍ବର ଗାଁରେ ଆଉ ଅଳ୍ପ କେତେକ ପରିବାର ଏବେ ବେଣାଚେର ମସାରୀ ବା ପରଦା ତିଆରି କରୁଛନ୍ତି । ସେଥିରୁ ଯାହା ଆମଦାନୀ ହେଉଛି ତାହା ଯଥେଷ୍ଟ ନୁହେଁ ।
କେବଳ ବରଗଡ଼ ନୁହେଁ ରାଜ୍ୟର ଅନେକ ଜିଲ୍ଲାରେ ବେଣାଚେର ମସାରୀ ବା ପରଦା ତିଆରି କରି ବାହାର ରାଜ୍ୟକୁ ରପ୍ତାନୀ କରୁଛନ୍ତି କାରୀଗର । ତେବେ ବେଣାଚେର ମସାରୀ ବା ପରଦା କାରୀଗରି ବଞ୍ଚାଇ ରଖିବାକୁ ସରକାର କେଉଁ ପ୍ରକାର ସହାୟତା କରୁଛନ୍ତି ତାହା ଦେଖିବା ବାକି ରହିଲା ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ