ବରଗଡ: କୋଭିଡ 19ର କଟକଣା ଭିତରେ ରାଜ୍ୟର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲାରେ ଆଜିଠୁ ଆରମ୍ଭ ହୋଇଛି ଖରିଫ ଋତୁର ଧାନ ସଂଗ୍ରହ ପ୍ରକ୍ରିୟା । ଟୋକନକୁ ନେଇ ଚାଷୀଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ଚାଷୀଙ୍କ ସମସ୍ୟାକୁ ସମାଧାନ କରି ସୁରୁଖୁରୁରେ ଧାନ ସଂଗ୍ରହ କରାଯିବ ବୋଲି ଦେଇଛି ପ୍ରତିଶୃତି । ଖରିଫ ଋତୁ ଧାନ ସଂଗ୍ରହ ପାଇଁ ସରକାରଙ୍କ ସବୁପ୍ରକାରର ବ୍ୟବସ୍ଥା କରିଥିବା ବେଳେ ଚାଷୀ ମଣ୍ଡିକୁ ଆସିବା ପୂର୍ବରୁ ମାସ୍କ ପିନ୍ଧିବା , ହାତ ଧୋଇବା ଏବଂ ସାମାଜିକ ଦୂରତା କୁ ବଜାଇ ରଖିବା ପାଇଁ ବାଧ୍ୟତାମୂଳକ କରିଛି ଜିଲ୍ଲା ପ୍ରସାଶନ ।
ଜିଲ୍ଲାର କଳାପାଣି ମାର୍କେଟ ୟାର୍ଡ଼ରେ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଦୁର୍ଗା ପ୍ରସାଦ ଛୁରିଆ, ବରଗଡ଼ ମାର୍କେଟ ୟାର୍ଡ଼ରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଗୋଡ଼ଭଗା ମାର୍କେଟ ୟାର୍ଡ଼ରେ ବିଧୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ଜିଲ୍ଲା ର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ନଡିଆ ବାଡେଇ ଧାନ କିଣାବିକା ପ୍ରକ୍ରିୟାର କରିଛନ୍ତି ଉଦଘାଟନ । ଗତବର୍ଷ ଚାଷୀ ସାତ ଦିନ ମଧ୍ୟରେ ଧାନ ବିକ୍ରି କରି ନପାରିଲେ ଟୋକନ ବାତିଲ ହୋଇଯାଉଥିବା ବେଳେ ଚଳିତ ବର୍ଷ ଏକ ମାସର ସମୟ ଦିଆଯାଇଥିବାରୁ ଚାଷୀ ଖୁସି ପ୍ରକଟ କରିଛି । ହେଲେ ଯେଉଁ ଚାଷୀ ଧାନ ଉତ୍ପାଦନ କରି ସାରିଛି ତାର ଟୋକନ ଆସିନଥିବା ବେଳେ ଯେଉଁ ଚାଷୀ ଧାନ ଅମଳ କରିନାହିଁ ସେହି ଚାଷୀର ଟୋକନ ଆସିଥିବାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ଚଳିତ ବର୍ଷ ବରଗଡ଼ ଜିଲ୍ଲରେ 1 ଲକ୍ଷ 35 ହଜାର 6 ଶହ 32 ଜଣ ଚାଷୀଙ୍କ ଟୋକନ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟୟରେ 60 ଲକ୍ଷ୍ୟ 70 ହଜାର 9 ଶହ 53 କ୍ୟୁଣ୍ଟାଲ ଧାନ କିଣିବାକୁ ଥିବାବେଳେ 113 ଜଣ ମିଲର୍ସଙ୍କ ମଧ୍ୟରୁ 62ଜଣ ମିଲର୍ସ ପ୍ରଥମ ପର୍ଯ୍ୟାୟ ରେ 185 ଟି ପିପିସିରୁ ଧାନ କିଣିବେ ବୋଳି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀ କାନ୍ତ ଦାଶ କହିଛନ୍ତି ।
କୋରୋନା କଟକଣା ସମୟରେ ସରକାର କୃଷି କାର୍ଯ୍ୟକୁ କୋହଳ କରିବାର ନିଷ୍ପତ୍ତିକୁ ଚାଷୀମାନେ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ବେଳେ ଶୀଘ୍ର ମଣ୍ଡିରୁ ଚାଷୀଙ୍କ ଧାନ କିଣିବା ପାଇଁ ପ୍ରଶାସନକୁ ପକାଉଛନ୍ତି ଚାପ । ତେବେ ଜିଲ୍ଲା ପ୍ରଶାସନ ଚାଷୀଙ୍କ ଦାବି ଶୁଣି କେତେ ଶୀଘ୍ର ଧାନ କିଣିବ ତାକୁ ନେଇ ସମସ୍ତଙ୍କ ନଜର ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ