ବରଗଡ: ଜିଲ୍ଲାରେ ଜଣେ ମନ୍ଦିର ଭରୁଆ(ପୂଜକ) ମହିଳାଙ୍କ ସହ ଦୁଷ୍କର୍ମ କରିଥିବା କରିଥିବା ଅଭିଯୋଗରେ ଭଟଲି ଥାନା ପୋଲିସ ଅଭିଯୁକ୍ତ ବିଜୟ ନାଏକଙ୍କୁ ଗିରଫ କରିଥିଲା । ତେବେ ପୂଜକଙ୍କ ବିରୋଧରେ ମିଥ୍ୟାରୋପ କରାଯାଇଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି କର୍ଲାଜୁରି ଗ୍ରାମବାସୀ ।
ସୂଚନାଅନୁସାରେ, ବରଗଡ ଜିଲ୍ଲା ଭଟଲି ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ କେହି ଗୁଣି କରିଥିବା ନେଇ ପରିବାର ଲୋକେ ଆଶଙ୍କା କରିଥିଲେ । ମହିଳାଙ୍କୁ ଗୁଣି ସନ୍ଦେହରେ ପରିବାର ଲୋକେ କର୍ଲାଜୁରୀ ଗାଁର ସାଧକ ତଥା ଦେବୀ ମନ୍ଦିର ପୂଜକ ବିଜୟ ନାୟକଙ୍କ ପାଖକୁ ନେଇଥିଲେ । ଗତ 10 ଜୁଲାଇରେ କମଗାଁ ମନ୍ଦିରର ବରୁଆଙ୍କ ବିରୋଧରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ତେବେ ଭଟଲି ପୋଲିସ ଘଟଣାର ତଦନ୍ତ କରିବା ପରେ ବରୁଆ ବିଜୟ ନାଏକଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଥିଲା ।
ଏହା ମଧ୍ୟ ପଢନ୍ତୁ: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ମନ୍ଦିର ପୂଜକ ଗିରଫ
ବରୁଆଙ୍କ ବେଲ ନାମଞ୍ଜୁର ହେବାରୁ ସେ ବରଗଡ ଜେଲରେ ବିଚାରଧିନ କଏଦୀ ଭାବରେ ଥିବାବେଳେ ଗତକାଲି(ଶୁକ୍ରବାର) ବରୁଆଙ୍କ ଗ୍ରାମ କର୍ଲାଜୁରିର ଶତାଧିକ ଗ୍ରାମବାସୀ ଆସି ଜିଲ୍ଲାପାଳଙ୍କ ଅଫିସରେ ଆନ୍ଦୋଳନ କରିଛନ୍ତି ଏବଂ ବିନା ଦୋଷରେ ଉଦ୍ଦେଶ୍ୟମୂଳକ ଭାବରେ ଫସାଯାଇଥିବା ବିଜୟଙ୍କୁ ନ୍ୟାୟ ଦିଆଯାଉ ବୋଲି ଧାରଣାରେ ବସିଥିଲେ । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଗ୍ରାମବାସୀ ଜିଲ୍ଲାପାଳ ଅଫିସ ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, ବରଗଡ