ବରଗଡ଼: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି । ତେବେ ଆଇନକୁ ସମର୍ଥନ ଜଣାଇ ସମର୍ଥନ ଶୋଭାଯାତ୍ରା ମଧ୍ୟ ଦେଖିବାକୁ ମିଳୁଛି । ତେବେ ବରଗଡ଼ରେ ଗତ ଦୁଇ ଦିନ ତଳେ ଏହି CAA ଓ NRC କୁ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ବିରୋଧ କରାଯାଇଥିଲା । ଏହାପରେ ବରଗଡ ସଚେତନ ନାଗରିକ ମଞ୍ଚ କେନ୍ଦ୍ର ସରକାରଙ୍କ ଏହି ସଂଶୋଧିତ ଆଇନକୁ ସମର୍ଥନ ଜଣାଇ ଶୋଭାଯାତ୍ରାକୁ ଓହ୍ଲାଇଛି ।
ବରଗଡ଼ର ସଚେତନ ନାଗରିକ ମଞ୍ଚ, ବଜରଙ୍ଗ ଦଳ, ବିଜେପି ଦଳ, ମହିଳା ସମିତି ଏବଂ ବହୁ ଅନୁଷ୍ଠାନ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବରଗଡ଼ ସାଂସଦ ସୁରେଶ ପୂଜାରୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏଥିସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଏହି ସଂଶୋଧିତ ନୂତନ ନିୟମକୁ ନେଇ ଏବେ ଜନସାଧାରଣ ରାଜନୈତିକ ଚକ୍ରବ୍ୟୁହ ଭିତରେ ଛନ୍ଦି ହୋଇଛନ୍ତି । CAA ଓ NRC କୁ ନେଇ ବରଗଡ଼ରେ କୌଣସି ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇନାହିଁ । ଏହି ନିୟମ ବିରୋଧରେ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଏକ ବିରୋଧ ପ୍ରଦର୍ଶନ କରାଯାଇଥିଲା ବେଳେ ଏହାର ଜବାବରେ ବରଗଡ଼ରେ ଏକ ବଡ ଶୋଭାଯାତ୍ରା ଦେଖିବାକୁ ମିଳିଛି । ତେବେ CAA ଓ NRC ବିଷୟରେ ଅଜ୍ଞ ଥିବା ଲୋକେ ମଧ୍ୟ ଉଭୟ ବିରୋଧ ଓ ସମର୍ଥନରେ ବାହାରୁଥିବା ଦେଖିବାକୁ ମିଳୁଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ