ବରଗଡ: ଜିଲ୍ଲାରେ ଘଟିଛି ଏକ ଅଜବ ଘଟଣା । ଏକ ନାବାଳିକା ଝିଅକୁ 21 ବର୍ଷର ପୁଅ ଦୁଇଦିନ ଧରି ନେଇଯାଇଥିବା ବେଳେ ପୋଲିସ ବାପା ଜଣକ ସେହି ନାବାଳିକା ଝିଅର କୋର୍ଟରେ ବୟାନ ବଦଳାଇ ପୁଅକୁ ଜେଲରୁ ମୁକୁଳାଇ ଆଣିଛି ଯେ ନିଜ ପୁଅକୁ ବଞ୍ଚାଇବାକୁ ଯାଇ ପୋଲିସ ବାବୁ ଜଣକ ନିଜ ପୁଅ ପରି ନାବାଳିକା ଝିଅକୁ ଭକୁଆ ବନାଇଥିବା ଅଭିଯୋଗ ହୋଇଛି । ବାପା ପୁଅ ଉଭୟେ ମିଶି ଗରିବ ନାବାଳିକା ଝିଅକୁ ଠକିଦେଇଥିବା ଅଭିଯୋଗ ଆଣିଛନ୍ତି ଝିଅର ପରିବାର ଲୋକେ ।
ମା ବାପା ଯାଇଥିଲେ ଦାଦନ ଖଟି ଏବଂ ଝିଅ ପାଠ ପଢିବ ବୋଲି ଅଜା ଆଇଙ୍କ ସଙ୍ଗେ ରହିଥିଲା ଘରେ । ହେଲେ ପୋଲିସ ବାଲା ଘରର ରୋମିଓ ପୁଅର ଖରାପ ନଜର ପଡିଥିଲା ଗରିବ ନାବାଳିକା ଝିଅ ଉପରେ | ନାବାଳିକା ଝିଅକୁ ଫୁସୁଲାଇ ବାହା ହେବା ଲାଳସା ଦେଇ ଦୁଇ ଦିନ ଧରି ଭଗାଇ ନେବାପରେ କଥାଟା କୋର୍ଟକୁ ଯାଇଥିଲା ଏବଂ ଜେଲ ଯାଇଥିବା ପୋଲିସ ବାବୁଙ୍କ ପୁଅକୁ ମୁକୁଳାଇବା ପାଇଁ ନାଟକୀୟ ଢଙ୍ଗରେ କରାଯାଇଥିଲା ଯୋଜନା ।
ଅଭିଯୁକ୍ତ ଯୁବକଙ୍କ ପୋଲିସ ବାପା ଝିଅକୁ କହି କୋର୍ଟରେ ବୟାନ ବଦଳାଇବାକୁ କହିଥିଲେ । ବଦଳରେ ଦୁହିଙ୍କୁ ବାହା କରିଦେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ମାତ୍ର କୋର୍ଟରେ ବୟାନ ବଦଳାଇ ଅଭିଯୁକ୍ତ ଜଣକ କୋର୍ଟ ରୁ ମୁକୁଳିବା ପରେ ପୋଲିସ ବାବୁ ପୋଲିସିଆ ରଙ୍ଗ ଦେଖାଇ ଦେଇଥିଲେ ଏବଂ ନାବାଳିକା ଝିଅକୁ ଅଧା ରାସ୍ତାରେ ଛାଡିଦେଇ ଚାଲିଯାଇଥିଲେ । ଏବେ ନାବାଳିକା ଝିଅ ଓ ତାର ପରିବାର ଜିଲ୍ଲା ପ୍ରଶାସନ ନିକଟରେ ନ୍ୟାୟ ପାଇଁ ଗୁହାରୀ ପଡ଼ିଛନ୍ତି । ଝିଅକୁ ନ୍ୟାୟ ମିଳିବା ଆଶାରେ ଜିଲ୍ଲାପାଳ ଏବଂ ଏସପିଙ୍କ ପାଖରେ ଫେରାଦ ହୋଇଛନ୍ତି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ