ବରଗଡ: ସଡକ ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ନେଇ ପୋଲିସକୁ ପିଟିଲେ ଉତ୍ତ୍ୟକ୍ତ ଲୋକେ । ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଶରଧାପାଳି ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି । ଦ୍ରୁତ ଗତିରେ ଆସୁଥିବା ଏକ ତେଲ ଟ୍ୟାଙ୍କର ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଉପରକୁ ଚଢିଯିବାରୁ ଛାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ।
ଅନ୍ୟପଟେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ବ୍ୟାପକ ଉତ୍ତେଜନା ଲାଗି ରହିଥିବାବେଳେ ଟ୍ୟାଙ୍କର ଡ୍ରାଇଭରକୁ ଗ୍ରାମବାସୀ କାବୁ କରି ମାଡ଼ ମାରିଛନ୍ତି । ଏଥିସହ ଗାଇସିଲେଟ ପୋଲିସ ମଧ୍ୟ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ସୂଚନା ଅନୁଯାୟୀ, ଗାଇସିଲେଟ ଥାନା ଅନ୍ତର୍ଗତ ଶରଧାପାଳି ଗ୍ରାମର କଲେଜକୁ ପାଠ ପଢିବାକୁ ଆସିଥିବା ନୂଆପାଳି ଗ୍ରାମର ଜଣେ ଛାତ୍ରୀଙ୍କୁ ଏକ ତେଲ ଟ୍ୟାଙ୍କର ଧକ୍କା ଦେଇଥିଲା ।
ଫଳରେ ଘଟଣାସ୍ଥଳରେ ଛାତ୍ରୀଙ୍କର ମୃତ୍ୟୁ ହୋଇ ଯାଇଥିଲା । ତେବେ ଫେରାର ହେଉଥିବା ଡ୍ରାଇଭରକୁ ସ୍ଥାନୀୟ ଲୋକେ କାବୁ କରି ମାଡ ମାରିଛନ୍ତି । ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଡ୍ରାଇଭରକୁ ଓ ଗାଡିକୁ ଉଦ୍ଧାର କରିବାକୁ ଚେଷ୍ଟା କରିବାରୁ ଉତ୍ତ୍ୟକ୍ତ ଲୋକେ ପୋଲିସକୁ ମଧ୍ୟ ଛାଡି ନଥିଲେ ।
ଘଟଣାସ୍ଥଳକୁ ଯାଇଥିବା ପୋଲିସ କର୍ମଚାରୀଙ୍କୁ ଗୋଡାଇ ଗୋଡାଇ ମାଡ ମାରିଛନ୍ତି ଲୋକେ । ଏବେ ବି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ସ୍ଥାନୀୟ ଲୋକେ ଶବକୁ ରାସ୍ତା ଉପରେ ରାଖି ରାସ୍ତାରୋକ ସହ ଆନ୍ଦୋଳନ ଜାରି ରଖିଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ