ବରଗଡ: ଅଭିଯୋଗର ୮ମାସ ପରେ ଏନଏଚଆରସିଙ୍କ ନିର୍ଦ୍ଦେଶରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା ତଦନ୍ତ ପାଇଁ ପହଞ୍ଚିଲେ । ପାଇକମାଳରେ ଥିବା କସ୍ତୁରବା ଗାନ୍ଧୀ ମାତୃ ନିକେତନକୁ ଯାଇ ତଦନ୍ତ କରିଛନ୍ତି ।
ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତସ୍ତ ପାଇକମାଲ ବ୍ଲକ ଅର୍ନ୍ତଗତ କସ୍ତୁରବା ଗାନ୍ଧୀ ମାତୃ ନିକେତନର ସୁପରିଟେଣ୍ଡେନ୍ଟ୍ ନିର୍ମଳ କୁମାର ଗିରିଙ୍କ ବିରୋଧରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଓଲଟା ସୁପରିଟେଣ୍ଡେନ୍ଟ୍ ନିର୍ମଳ କୁମାର ଗିରି ୧.୫୦ଲକ୍ଷ ଟଙ୍କା ପ୍ରଲୋଭନ ଦେଖାଇ କେସକୁ ରଫାଦଫା କରିବାକୁ ଚାପ ପକାଇଥିବା ଅଭିଯୋଗ ହୋଇଥିଲା । ତେବେ ଏନେଇ ପୋଲିସ ବିଭାଗ ମଧ୍ୟ ଚୁପମାରି କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ପୀଡିତାଙ୍କ ମା ନିରାଶ ହୋଇ ସାମାଜିକ କର୍ମୀ ପଦ୍ମପୁରର ଅନିଲ ଦୋରା ଓ ସୁନାଧର ଭୋଇଙ୍କୁ ଜଣାଇଥିଲେ । ଗତ ଏପ୍ରିଲ ମାସରେ ସୁନାଧର ଭୋଇ ଜାତୀୟ ମାନବ ଅଧିକାର କମିଶନ ନୂଆଦିଲ୍ଲୀଙ୍କୁ ଏ ବାବଦରେ ଅବଗତ କରି, ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆବେଦନ କରିଥିଲେ। ତେବେ NHRC ୩ ଥର ନୋଟିସ୍ କରିବା ପରେ ଯାଇ ଓଡିଶା ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ତଦନ୍ତ ପାଇଁ ଆସିଥିଲେ ।
ଏହି ତଦନ୍ତ ପ୍ରକ୍ରିୟରେ ବିଳମ୍ବ ହେବା ଓ ୮ମାସ ବିତି ଯାଇଥିଲେ ମଧ୍ୟ ସମାଧାନ ନ ହୋଇପାରିଥିବାରୁ ଦୁଃଖ ପ୍ରକାଶ କରିବା ସଂଗେ ଉଚ୍ଚାଧିକାରୀ ମାନଙ୍କୁ ତାଗିଦ୍ କରିଥିଲେ । ତଦନ୍ତ ପ୍ରକ୍ରିୟା ଯାଥା ଶୀଘ୍ର ସାରି ଜାତୀୟ ମାନବ ଅଧିକାର କମିଶନ ନୂଆଦିଲ୍ଲୀଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିବା ସହ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ଆଶ୍ବାସନା ଦେଇଛନ୍ତି ।
ବରଗଡରୁ ରାଜେଶ ସରାପ,ଇଟିଭି ଭାରତ