ବରଗଡ଼: ଜିଲ୍ଲା ଭଟଲି ଥାନା ଝିକିଝିକି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟାକଲା ତାଙ୍କରି ବନ୍ଧୁ । ଦୁହେଁ ଏକାଠି ନିଶା ସେବନ କରିବା ପରେ ଗଣ୍ଡଗୋଳ କରିଥିଲେ । ପରେ ଜଣଙ୍କ ଠେଙ୍ଗାରେ ମାଡ଼ରେ ଆଉ ଜଣେ ବନ୍ଧୁର ମୃତ୍ୟୁ ହୋଇଛି । ମୃତକ ସେହି ଗାଁର 55 ବର୍ଷ ବୟସ୍କ ବ୍ୟକ୍ତି ଗଜରାଜ ଭୁଏ ବୋଲି ଜଣାପଡ଼ିଛି ।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତକୁ ଅଟକ ରଖିଛି । ଗତକାଲି ବିଳମ୍ବିତ ରାତିରେ ସଦାନନ୍ଦ ବରିହା ଓ ଗଜରାଜ ଭୁଏ ମିଶି ନିଶା ସେବନ କରିଥିଲେ । ପରେ କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ସଦାନନ୍ଦ ଘର ଭିତରୁ ଏକ ଠେଙ୍ଗା ଆଣି ଗଜରାଜ ଭୁଏଙ୍କ ମୁଣ୍ଡରେ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଖବର ପାଇ ଭଟଲି ଥାନା ପୋଲିସ ଘଟଣାସ୍ଥଳରେ ମୃତଦେହ ଉଦ୍ଧାର କରି ଏକ ହତ୍ୟା ମାମଲା ରୁଜୁ କରିଛି । ବ୍ୟବଛେଦ ପାଇଁ ମୃତଦେହକୁ ବରଗଡ଼ ଟାଉନସ୍ଥିତ ପୁରୁଣା ଡାକ୍ତରଖାନାକୁ ନିଆଯାଇଥିଲା ।
ବରଗଡ଼ରୁ ରାଜେଶ ସରାଫ, ଇଟିଭି ଭାରତ