ବରଗଡ: କୋରୋନା ମହାମାରୀ ପାଇଁ ଦୀର୍ଘଦିନ ଧରି ଲାଗିରହିଥିବା ଲକଡାଉନ ସମସ୍ତଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଦେଇଥିବା ବେଳେ ବରଗଡ ଜିଲ୍ଲାର 2 ହଜାର ବାଦ୍ୟ କଳାକାରଙ୍କ ଅବସ୍ଥା ସଂକଟାପନ୍ନ ହୋଇଯାଇଛି । କଳାକାର ମାନଙ୍କ ଜୀବିକା ଛଡାଇ ନେଇଛି କୋରୋନା । ଯାହାକୁ ନେଇ ସୋମବାର ଜିଲ୍ଲାର ଶତାଧିକ କଳାକାର ସହାୟତା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।
କଳାକାରମାନେ ଜିଲ୍ଲାପାଳଙ୍କ ନିକଟରେ ଆର୍ଥିକ ସାହାଯ୍ୟ ଯୋଗେଇ ଦିଆଯିବା କିମ୍ବା ତାଙ୍କ ଜୀବିକା ଫେରାଇ ଦିଆଯାଉ ବୋଲି ଦାବି କରିଛନ୍ତି । ଲକଡାଉନ ସମୟରେ ବହୁ ଗରିବ ଓ ଶ୍ରମିକମାନେ ସରକାରଙ୍କ ଠାରୁ ସହାୟତା ପାଇଥିବା ବେଳେ କିନ୍ତୁ ବରଗଡରେ ଥିବା ବାଦ୍ୟ କଳାକାରମାନେ କୌଣସି ସହାୟତା ପାଇପାରି ନଥିଲେ ।
ମହାମାରୀ କାରଣରୁ ସାରା ରାଜ୍ୟରେ ବିବାହ, ବ୍ରତ, ପର୍ବ ପର୍ବାଣୀ ସବୁକିଛି ବନ୍ଦ ଥିବାରୁ ବାଜାବାଲା ଓ ବିଭିନ୍ନ କଳାକାର ମାନଙ୍କ ନାଚ,ଗୀତ ବନ୍ଦ ହୋଇପଡିଛି । ଯାହାଫଳରେ ଦୁଇ ପଇସା ରୋଜଗାର କରୁଥିବା ଏହି କଳାକାର ମାନଙ୍କର ରୋଜଗାର ମଧ୍ୟ ଠପ୍ ହୋଇଯାଇଛି ।
ଏଭଳି ପରିସ୍ଥିତିରେ କିଭଳି କଳାକାରମାନେ ନିଜନିଜ ପରିବାର ପରିପୋଷଣ କରିବେ ସେନେଇ ଚିନ୍ତାରେ ପଡିଯାଇଥିବା ବେଳେ କିନ୍ତୁ ସରକାର ଏମାନଙ୍କ ପାଇଁ କୌଣସି ସୁବିଧା ଯୋଗେଇ ଦେଇନାହାନ୍ତି । ଯାହାକୁ ନେଇ ସୋଣବାର ଜିଲ୍ଲାପାଳଙ୍କ ଠାରେ ବହୁ କଳାକାର ପହଞ୍ଚି ନିଜର ଦାବି ଜଣାଇଛନ୍ତି ।
ବରଗଡରୁ ରାଜେସ ସରାପ, ଇଟିଭି ଭାରତ