ବରଗଡ଼: ଓକିଲଙ୍କୁ ଦୁର୍ବ୍ୟବହାର କରିବା ମହିଳା ଆଇଆଇସିଙ୍କୁ ମହଙ୍ଗା ପଡିଲା । ମହିଳା ପୋଲିସଙ୍କ ଏଭଳି କାରନାମାକୁ ବିରୋଧ କରି ଦୀର୍ଘ 4 ଦିନ ଧରି ବରଗଡ ଜିଲ୍ଲାର କୋର୍ଟ କଚେରୀ ବନ୍ଦ ରହିଛି । ଲୋକଙ୍କ ସହ ଦୁର୍ବ୍ୟବହାର କରିବା ତାଙ୍କର ଏକ ଅଭ୍ୟାସ ଥିବାବେଳେ ଆଇଆଇସିଙ୍କୁ ବହିଷ୍କାର କରି ଅନ୍ୟତ୍ର ବଦଳି କରିବାକୁ ଦାବି ହୋଇଛି । ଏହି କ୍ରମରେ ଆଜି ବରଗଡର ବିଭିନ୍ନ ସଙ୍ଗଠନ ଓ ବୁଦ୍ଧିଜୀବୀଙ୍କୁ ନେଇ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ।
ସୂଚନାନୁସାରେ, ଗତ 10 ତାରିଖରେ ସଦର ଥାନା ଆଇଆଇସି କଲ୍ୟାଣୀ ବେହେରା ବରଗଡ ଓକିଲ ସଂଘର ସଦସ୍ୟ ବିନୟ ଯୋଶୀଙ୍କୁ ଥାନାରେ ଦୁର୍ବ୍ୟବହାର କରିବା ସହ ମୋ ଥାନାରୁ ଚାଲିଯାଅ ବୋଲି କହିଥିଲେ । ଖାଲି ସେତିକି ନୁହେଁ ଓକିଲଙ୍କ ହାତକୁ ଧରି ଥାନାରୁ ତଡି ଦିଆଯାଇଥିବା ଅଭିଯୋଗ ଆଣିଥିଲା ବରଗଡ ବାର ଆସୋସିଏସନ । ଏହାସହିତ ବରଗଡ଼ ଏସପି ମୁକେଶ କୁମାର ଭାମୋଙ୍କୁ ମହିଳା ପୋଲିସଙ୍କ ବଦଳି ଅନ୍ୟତ୍ର କରିବାକୁ କହିଥିଲେ । ଯେପର୍ଯ୍ୟନ୍ତ ତାଙ୍କ ବଦଳି ନହୋଇଛି କୋର୍ଟ କଚେରୀ ସବୁ ବନ୍ଦ ରହିବ ବୋଲି ଦାବି କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କର ବଦଳି ଅନ୍ୟତ୍ର କରାଯାଇନଥିବାରୁ ଓକିଲ ସଂଘ ପକ୍ଷରୁ କୋର୍ଟ କଚେରୀ ବନ୍ଦ ଘୋଷଣାକୁ ବାତିଲ କରାଯାଇନାହିଁ । ଯାହାକୁ ନେଇ ଧୀରେ ଧୀରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ତିକ୍ତତା ବଢ଼ି ଚାଲିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ