ବରଗଡ: ଗତକାଲି ଚନ୍ଦକା ଠାରେ ପ୍ରଶିକ୍ଷଣ ସମୟରେ ଗ୍ରେନେଡ଼ ବିସ୍ଫୋରଣରେ ଶହୀଦ ଏସଓଜି ଯବାନ ପ୍ରକାଶ ସାହୁଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୈତୃକ ଗ୍ରାମ ବରଗଡ କଟାପାଲିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗାଁରେ ତାଙ୍କ ମରଶରୀର ପହଞ୍ଚିବା ପରେ ଗାଁ ଦାଣ୍ଡ କାନ୍ଦବୋବାଳିରେ ଫାଟି ଉଠିଥିଲା ।
ଶୋକାକୁଳ ପରିବେଶରେ ଶହୀଦ ପ୍ରକାଶଙ୍କର ମର ଶରୀରକୁ ଗାଁ ପରିକ୍ରମା କରାଯାଇଥିଲା । ଏହାପରେ କଟାପାଲି ହାଇସ୍କୁଲ ପଡିଆରେ ଗାର୍ଡ ଅଫ ଅନର ପ୍ରଦାନ କରାଯିବ ସହ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା । 10 ବର୍ଷର ପୁଅ ମୁଖାଗ୍ନି ଦେଇଥିଲେ । ଏଥିରେ ଉତ୍ତରାଞ୍ଚଳ DIG ହିମାଂଶୁ ଲାଲ, ବରଗଡ଼ ଆରକ୍ଷୀ ଅଧିକାରୀ ପଦ୍ମିନୀ ସାହୁ, ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ, ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଶହୀଦଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
ଶହୀଦ ପ୍ରକାଶ ସାହୁ ଜଣେ ମେଳାପୀ ବ୍ୟକ୍ତି ହୋଇଥିବାରୁ ସେ ଗାଁରେ ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ପରିବାରରେ ତାଙ୍କର ପତ୍ନୀ, ଦଶ ବର୍ଷର ପୁତ୍ର , ଭାଇଭଉଣୀ ଓ ମା ବାପା ରହିଛନ୍ତି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ବରଗଡରୁ ରାଜେଶ ସରାପଙ୍କ ରିପୋର୍ଟ, ଇଟିଭି ଭାରତ