ବରଗଡ଼: ସଇତାନ ସାଜିଲା ସ୍ବାମୀ । ସ୍ତ୍ରୀକୁ କୋଦାଳରେ ମାରି ହତ୍ୟାକଲା ସ୍ବାମୀ । ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ଡଭା ଗ୍ରାମପଞ୍ଚାୟତର ଜାମପାଲି ଗାଁରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି । ରାତିରେ ଶୋଇଥିବା ସମୟରେ ସ୍ତ୍ରୀ ଉପରେ କୋଦାଳରେ ଆକ୍ରମଣ କରିଥିଲା ସ୍ବାମୀ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ପାରିବାରିକ କନ୍ଦଳ ଯୋଗୁଁ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ମୃତ ମହିଳା ଜଣକ ହେଉଛନ୍ତି ଝାରବନ୍ଧ ଥାନା ଅନ୍ତର୍ଗତ ଜାମପାଲି ଗାଁର ୭୦ ବର୍ଷୀୟ ଶିବ ପ୍ରସାଦ ସାହୁର ପତ୍ନୀ ଶ୍ରୀୟା ସାହୁ । ଗତ ବିଳମ୍ବିତ ରାତିରେ ଶିବ ପ୍ରସାଦ ଏବଂ ଶ୍ରୀୟା ମଧ୍ୟରେ କୌଣସି କଥାକୁ ନେଇ କଟାକଟି ହୋଇ ବଚସା ହୋଇଥିଲା । ଏହା ପରେ ଘରେ ସମସ୍ତେ ଶୋଇ ପଡ଼ିଥିଲେ l ସ୍ତ୍ରୀ ଶ୍ରୀୟା ମଧ୍ୟ ଶୋଇପଡ଼ିଥିବା ବେଳେ ବିଳମ୍ବିତ ରାତି ପ୍ରାୟ 1ଘଣ୍ଟା 30ମିନିଟ ସମୟରେ ହଠାତ୍ ଘର ଭିତରୁ ଚିତ୍କାର ଶବ୍ଦ ଶୁଣାଯାଇଥିଲା । ଚିତ୍କାର ଶବ୍ଦ ଶୁଣି ପୁଅ ଟଙ୍କଧର ଉଠିପଡ଼ିଥିଲେ । ଦୌଡ଼ି ଯାଇ ଦେଖିବା ବେଳକୁ ତାଙ୍କ ମାଆଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛି l ପାଖରେ ବୃଦ୍ଧ ବାପା ହାତରେ ରକ୍ତ ଭିଜା କୋଦାଳ ଧରି ଠିଆ ହୋଇଛି l ବାପା ଶିବ ସାହୁ ନିଜ ସ୍ତ୍ରୀକୁ ହତ୍ୟା କରିଦେଇଥିବା ନେଇ ପୁଅ ଟଙ୍କଧରକୁ କହିଥିଲା l
ଏହା ମଧ୍ୟ ପଢ଼ନ୍ତୁ: ସଇତାନ ସାଜିଲା ସ୍ବାମୀ, ସ୍ତ୍ରୀକୁ ହତ୍ୟା ପରେ ମୃତଦେହ ପୋଡ଼ିଦେଲା
ବିଳମ୍ବିତ ରାତ୍ରି ହୋଇଥିବାରୁ ପୁଅ ଟଙ୍କଧର ପୋଲିସକୁ ଖବର ଦେଇପାରି ନଥିଲେ ଏବଂ ଆଖ ପାଖ ପଡ଼ୋଶୀଙ୍କୁ ଜଣାଇଥିଲେ l ସକାଳେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାରୀ ସ୍ୱାମୀକୁ ଗିରଫ କରିବା କରି ହତ୍ୟାରେ ବ୍ୟବହୃତ କୋଦାଳ ଜବତ କରିଛି । ଘଟଣାସ୍ଥଳକୁ ଫରେନସିକ ଟିମ ପହଞ୍ଚି ଅଧିକ ତଦନ୍ତ ଚଳାଇଥିବା ବେଳେ ହତ୍ୟାକାରୀ ପୋଲିସ ଆଗରେ ନିଜ ସ୍ୱୀକାର କରିଛି l ଅନ୍ୟପଟେ ପୁଅ ଟଙ୍କଧର କିଛିଦିନ ହେଲା ବାପାଙ୍କ ମୁଣ୍ଡ ଖରାପ ଥିବା ନେଇ ଜଣାଇଛନ୍ତି l ତାଙ୍କ କହିବା ଅନୁଯାୟୀ, ବାପାଙ୍କ ମାନସିକ ସ୍ଥିତି ଠିକ ନାହିଁ । ଗତ ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ପରେ ବାପା ମାଆଙ୍କୁ ହତ୍ୟା କରିଛନ୍ତି । ନିଜ ଦୋଷ ମଧ୍ୟ ସ୍ବୀକାର କରିଛନ୍ତି ।
ଇଟିଭି ଭାରତ, ବରଗଡ଼