ବରଗଡ଼: ଜିଲ୍ଲା ସାର ଓ କୀଟନାଶକ ଦୋକାନୀଙ୍କ ସଂଗଠନ ଗୁରୁବାର ଜିଲ୍ଲାପାଳଙ୍କ ନିକଟକୁ କୃଷି ବିଭାଗର ଅତ୍ୟାଚାର ବିରୋଧରେ ଅଭିଯୋଗ ନେଇ ପହଞ୍ଚିଥିଲେ । କୃଷି ବିଭାଗ ପକ୍ଷରୁ ଲାଇସେନ୍ସ ପ୍ରାପ୍ତ ଦୋକାନୀ ମାନଙ୍କୁ ମଧ୍ୟ ଅଯଥାରେ ବାରମ୍ବାର ଚଢାଉ କରି ନାନା ନିର୍ଯାତନା ଦିଆଯାଉଥିବା ବେଳେ ବେଆଇନ କାରବାର ଚଲାଉଥିବା ବଡ ବଡିଆ ଦୋକାନୀ ମାନଙ୍କ ପାଖରେ ପହଁଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ଉଦ୍ଦେଶ୍ୟ ମୂଳକ ଭାବରେ ଏପରି ଚଢାଉକୁ ବିରୋଧ କରି ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ନେଇ ପହଞ୍ଚିଥିଲା ସଂଘ ।
ଲକଡାଉନ ସମୟରେ ଦୋକାନ ବନ୍ଦ ରହୁଥିବାରୁ କାଗଜପତ୍ର କାମ ସଂପୂର୍ଣ୍ଣ ହୋଇପାରିନଥିଲା । ବର୍ତ୍ତମାନ ସମୟରେ ଦୋକାନ ମାନଙ୍କରେ ପ୍ରବଳ ଭିଡ ପାଇଁ ସେସବୁ କାମ କରିବାରେ ଅସମର୍ଥ ହେଉଥିବା ସାର ଓ କୀଟନାଶକ ଦୋକାନୀ ମାନେ କହୁଥିବା ବେଳେ ସମୟ ନଦେଇ ଏପରି ଅତର୍କିତ ଚଢାଉ କରିବାକୁ ବିରୋଧ କରିଛନ୍ତି ।
ଅନ୍ୟପଟେ କର୍ମଚାରୀ ମାନେ ଦୋକାନୀ ମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି । ତେବେ ଆଗାମୀ ଦିନରେ ଏପରି ପୁନର୍ବାର ଦୁର୍ବ୍ୟବହାର କରାଗଲେ ବରଗଡ଼ ଜିଲ୍ଲାର ସମସ୍ତ ଦୋକାନୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଜଣାଇଛନ୍ତି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ