ବରଗଡ: ପୋଲିସ ପୋଷାକର ପାୱାର ଦେଖାଇ ଜଣେ ବ୍ଲଡକ୍ୟାନ୍ସର ରୋଗୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ମହିଳା ପୋଲିସ ଅଫିସର କ୍ୟାନସର ରୋଗୀଙ୍କୁ ବିନା କାରଣରେ ମାଡ ମାରିଥିବା ଅଭିଯୋଗ ନେଇ ବରଗଡ ପୋଲିସ ଏସ୍.ପି ଙ୍କ ନିକଟରେ ପହଞ୍ଚିଲେ ମା ଓ ପୁଅ । ଏନେଇ ବରଗଡ ଏସପି ଘଟଣାର ତଦନ୍ତ କରାଯିବ ବୋଲି ଅଭିଯୋଗକାରୀଙ୍କୁ ଆଶ୍ଵାସନା ଦେଇଥିବାବେଳେ ନ୍ୟାୟ ମିଳିବାକୁ ନେଇ ସନ୍ଦେହରେ ରହିଛନ୍ତି ମା' ପୁଅ ।
ସୂଚନାନୁଯାୟୀ, ବରଗଡ ତଳିପଡା ବାସିନ୍ଦା କିଶାନ ଦାସ ନାମକ ଜଣେ ଛାତ୍ର ବ୍ଲଡକ୍ୟାନ୍ସରରେ ପୀଡିତ ଥିବାବେଳେ ବରଗଡବାସୀ ଅର୍ଥ ଯୋଗାଡ କରି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ଚିକିତ୍ସା ପାଇଁ ମୁମ୍ବାଇସ୍ଥିତ ଟାଟା ମେମୋରିଏଲ ହସ୍ପିଟାଲକୁ ପଠାଇଥିଲେ । ସେ ନିହାତି ଗରିବ ହୋଇଥିବାରୁ ତାଙ୍କ ନିଜର କ୍ୟାନସର ରୋଗର ଚିକିତ୍ସା ପାଇଁ ସେ ନିଜେ ବୋରିଙ୍ଗ କାମ କରି ଅର୍ଥ ଯୋଗାଡ କରୁଛନ୍ତି। ତେବେ ବୋରିଙ୍ଗ କାମ ସାରି ବିଳମ୍ବିତ ରାତିରେ ସେ ଘରକୁ ଫେରୁଥିବାବେଳେ PCR ପାଟ୍ରୋଲିଂ କରୁଥିବା ପୋଲିସ ଗାଡିର ଜଣେ ମହିଳା ପୋଲିସ ଖାଲକୋ ଯୁବକଙ୍କୁ ଅଟକାଇ ରାତିରେ ବୁଲୁଥିବା କହି ମାଡ ମାରିଥିଲେ। ତେବେ ନ ପଚାରି ନବୁଝି ପୋଲିସ କର୍ମଚାରୀଙ୍କ ଏପରି ମାଡ ମାରିବାକୁ ବିରୋଧ କରି ବରଗଡ ଏସପିଙ୍କ ଠାରେ ଅଭିଯୋଗ ଆଣିଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ