ବରଗଡ଼: ଚିକିତ୍ସା ଚାଲିଥିବା ବେଳେ ମହିଳା ମୃତ । ମହିଳା ଜଣଙ୍କ 3 ମାସର ଗର୍ଭବତୀ ଥିଲେ । ତେବେ ଡାକ୍ତରଙ୍କ ଅବହେଳା କାରଣରୁ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଲେ ପରିବାର ଲୋକ । ଏନେଇ ବରଗଡ଼ ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନା ଅନୁସାରେ, ପଡ଼ୋଶୀ ରାଜ୍ୟ ଛତିଶଗଡ଼ ନୟାଗାଓଁ ହରଦା ଗ୍ରାମର ହେମନ୍ତ ସାହୁ ନାମକ ଜଣେ ବ୍ୟକ୍ତିଙ୍କ 3 ମାସର ଗର୍ଭବତୀ ସ୍ତ୍ରୀ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଚିକିତ୍ସା ପାଇଁ ବରଗଡ଼କୁ ଆସିଥିଲେ । ବରଗଡ଼ ସ୍ଥାନୀୟ ଭଟଲି ଛକ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାରେ ହେମନ୍ତ ତାଙ୍କ 38 ବର୍ଷୀୟ ପତ୍ନୀ ମୀନ ସାହୁଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କ ରକ୍ତ ନମୁନା ନେଇ ଅନେକ ପରୀକ୍ଷା କରିବା ସହ ଚିକିତ୍ସା ଆରମ୍ଭ କରିଥିଲେ । ତେବେ ଗତକାଲି ଅପରାହ୍ନ ପ୍ରାୟ 3ଟା ସମୟରେ ଡାକ୍ତରଖାନାରେ ଭର୍ତ୍ତି ହେବାପରେ ମୀନ ସାହୁଙ୍କୁ ଚିକିତ୍ସା କରାଯାଇଥିଲା, କିନ୍ତୁ ହସ୍ପିଟାଲରେ ଭର୍ତ୍ତି ହେବାର ପରଦିନ ଅର୍ଥାତ ମଙ୍ଗଳବାର ସକାଳ 7.30ଟା ସମୟରେ ହଠାତ ମୀନ ସାହୁଙ୍କ ମୃତ୍ୟୁ ହୋଇଯାଇଥିଲା l
ଏହା ମଧ୍ୟ ପଢ଼ନ୍ତୁ...ରାୟଗଡାରେ ଅପହଁଞ୍ଚ ସ୍ବାସ୍ଥ୍ୟ ସେବା, 7 ମାସରେ 15 ଗର୍ଭବତୀଙ୍କ ସମେତ 466 ଶିଶୁ ମୃତ
ସେପଟେ ହଠାତ ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ ମୃତ୍ୟକୁ ନେଇ ପରିବାର ଲୋକ ସହଜରେ ଗ୍ରହଣ କରିପାରିନଥିଲେ । ତେବେ ପରିବାର ଲୋକେ ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କ ଏପରି ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି । ତେବେ ଏନେଇ ପରିବାର ଲୋକ ବରଗଡ଼ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ବରଗଡ଼ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢ଼ନ୍ତୁ....କାଶୀପୁର ଗର୍ଭବତୀଙ୍କ ମୃତ୍ୟୁ ଘଟଣା, ପରିବାରକୁ 30 ଲକ୍ଷ କ୍ଷତିପୂରଣ ଦାବି କଲା BJP
ତେବେ ମୃତ ମହିଳାଙ୍କ ସ୍ବାମୀ ହେମନ୍ତ ସାହୁ କହିଛନ୍ତି "ମୋ ପତ୍ନୀର ଚିକିତ୍ସା ପାଇଁ ବରଗଡ଼ରେ ଥିବା ସାଇ ମଲ୍ଟି ହସ୍ପିଟାଲକୁ ଆସିଥିଲୁ । ଗତକାଲି ସାଢ଼େ 3ଟାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ସକାଳ ପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟ ଠିକ ଥଲା । ଏହାପରେ ପାଣି ଆଣିବା ପାଇଁ ତଳକୁ ଯାଇଥିଲି । ସେଠାରୁ ଫେରିବା ପରେ ଡାକ୍ତରମାନେ ସ୍ତ୍ରୀର ଅବସ୍ଥା ସଂକଟାପନ୍ନ ଥିବା କହିଥିଲେ । ଏହାପରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର କହିଥିଲେ । ଡାକ୍ତରଙ୍କ ଚିକିତ୍ସାରେ ତ୍ରୁଟି ଯୋଗୁଁ ଏଭଳି ହୋଇଛି ।"
ଇଟିଭି ଭାରତ, ବରଗଡ଼