ବରଗଡ଼: ମନରେଗା ଯୋଜନାରେ କାମ କରିବାର 5 ମାସ ବିତି ଯାଇଥିଲେ ବି ଶ୍ରମିକଙ୍କୁ ଏଯାଏଁ ମିଳିନି ସେମାନଙ୍କ ପାଉଣା । ମାସେ କି ଦୁଇ ମାସର ନୁହେଁ ବରଂ 5 ମାସ ହେଲା ଝାଳ ବୁହା ଧନ ପାଇନାହାନ୍ତି ବରଗଡ ଜିଲ୍ଲାର ବହୁ ଶ୍ରମିକ । ଲକଡାଉନ କାରଣରୁ ସମସ୍ତେ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ।
ଏଭଳି ସ୍ଥିତିରେ ଖୋଦ ସରକାର ସେମାନଙ୍କୁ ପାରିଶ୍ରମିତ ଦେଇ ନଥିବା ଅଭିଯୋଗ ନେଇ ମଙ୍ଗଳବାର ବରଗଡ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲେ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗିଧମାଳ ଗ୍ରାମର ବହୁ ଶ୍ରମିକ । ଏହି ଗ୍ରାମର ବହୁ ଦିନମଜୁରିଆ ମନରେଗା ଯୋଜନା ତରଫରୁ 5 ମାସ ପର୍ଯ୍ୟନ୍ତ ମାଟି ବୋହିବା କାମ କରିଥିଲେ ମଧ୍ୟ ଆଜି ଯାଏଁ ସେମାନଙ୍କୁ ତାଙ୍କ ପାଉଣା ମିଳିନାହିଁ ।
ସ୍ଥାନୀୟ ବିଡ଼ିଓଙ୍କୁ ଯେତେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ଜିଲ୍ଲାପାଳଙ୍କ ନିକଟରେ ଆସି ପହଞ୍ଚିଥିଲେ ବହୁ ଶ୍ରମିକ | ତାଙ୍କର ଅଭିଯୋଗର ଶୀଘ୍ର ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପ୍ପୋ ଗ୍ରାମବାସୀଙ୍କୁ ଆଶ୍ଵାସନା ଦେଇଛନ୍ତି ।
ବରଗଡ଼ରୁ ରାଜେସ ସରାପ, ଇଟିଭି ଭାରତ