ବରଗଡ: ଦୁର୍ନୀତି ଅଭିଯୋଗ ନେଇ ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ସତ୍ବେ କୌଣସି ପଦକ୍ଷେପ ନହେବାରୁ ଆତ୍ମହୂତି ଉଦ୍ୟମ କରିଛନ୍ତି ଗ୍ରାମବାସୀ । ଏପରି ଏକ ଘଟଣା ଘଟିଛି ବରଗଡ ଜିଲ୍ଲାରେ । କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡଧରଣର ଅଘଟଣ ଟଳିଯାଇଛି ।
ଘଟଣା ଅନୁସାରେ ବରଗଡ ଗାଇସିଲେଟ ଜଗଲପାଟ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବାବେଳେ ଏହାର ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଠାରେ ଅନେକଥର ପହଞ୍ଚିଥିଲେ ଗ୍ରାମବାସୀ । ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଗତମାସ 6 ତାରିଖରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲେଖି ଜଣାଇଥିଲେ ସୁଦ୍ଧା କିଛି ପଦକ୍ଷେପ ନିଆଯାଇନଥିବା ବଡ ସାହାଜବାହାଲ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଫଳରେ ଏହାର ପ୍ରତିବାଦରେ ଆଜି ଗ୍ରାମର ଛବିଲାଲ ସାହୁ, ଦିଲୀପ ସାହୁ, ଗୁଲଠୁ ସାହୁ, ଗୋବର୍ଦ୍ଧନ ସାହୁ ପ୍ରମୁଖ ସାଙ୍ଗରେ କିରୋସିନ ଓ ଦିଆସିଲି କାଠି ଧରି ଜିଲାପାଳ ଅଫିସରେ ପହଞ୍ଚିଥିଲେ । ଜିଲ୍ଲାପାଳ ଅଫିସ ଆଗରେ ନିଜ ଦେହରେ କିରୋସିନି ଢାଳି ପୋଲିସ ଉପସ୍ଥିତିରେ ସେମାନେ ଆତ୍ମାହୂତି ଦେବାକୁ ଉଦ୍ୟମ କରିଥିଲେ । ତେବେ ସେଠାରେ ମୁତୟନ ଥିବା ପୋଲିସ ଉପସ୍ଥିତ ବୁଦ୍ଧି ଖଟାଇ ଦିଆସିଲି, କିରୋସିନ ଡବା ଛଡାଇ ନେଇଥିଲା।
ତେବେ ଜିଲ୍ଲା ମୁଖ୍ୟଙ୍କୁ ଜିଲ୍ଲାରେ ହେଉଥିବା ଦୁର୍ନୀତି ବିରୋଧରେ ଅଭିଯୋଗ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଧାରଣା ଆନ୍ଦୋଳନ ଜାରି ରହିବ ବୋଲି ଅଭିଯୋଗକାରୀ କହିଛନ୍ତି ।
ବରଗଡରୁ ରାଜେସ ସରାଫ, ଇଟିଭି ଭାରତ