ବରଗଡ: ଚଳିତ ଖରିଫ ଋତୁରେ ଧାନ ବିକ୍ରିରେ ଟୋକନ ବ୍ୟବସ୍ଥାକୁ ନେଇ ଜିଲ୍ଲାରେ ଚାଷୀ ଅସନ୍ତୋଷ ଦେଖାଯାଇଛି । ଏହାକୁ ଚାଷୀମାନଙ୍କ ଦ୍ବାରା ବିରୋଧ କରାଯିବା ସହ ଗୋଡଭଗା ମାର୍କେଟ ୟାର୍ଡରେ ଏକ ବୈଠକ କରାଯାଇଛି । ଆସନ୍ତାକାଲି ଦିନ 12ଟା ସୁଦ୍ଧା ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ ନ କଲେ ଆନ୍ଦୋଳନ କରାଯିବାକୁ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ପକ୍ଷରୁ ନିଷ୍ପତ୍ତି ହୋଇଛି ।
ଚଳିତ ଖରିଫ ଋତୁର ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାର ଟୋକନ ବ୍ୟବସ୍ଥା କରିଥିଲେ । ହେଲେ ବରଗଡର ଚାଷୀ ମାନେ ଆରମ୍ଭରୁ ହିଁ ଏହାକୁ ବିରୋଧ କରିଆସୁଛନ୍ତି । ହେଲେ ସରକାର ଚାଷୀଙ୍କ ବିରୋଧକୁ ବେଖାତିର କରି ଏହି ନିୟମକୁ ଲାଗୁ କରିଛନ୍ତି | ଧାନ ସଂଗ୍ରହ ପ୍ରକ୍ରିୟା ଗତ ୧୫ ତାରିଖରୁ ଆରମ୍ଭ ହୋଇଛି । ହେଲେ ଯେଉଁ ଚାଷୀ ମାନଙ୍କର ଧାନ ଅମଳ ହୋଇସାରିଛି ସେମାନଙ୍କ ନାମରେ ଟୋକନ ଆସିନଥିବା ବେଳେ ଯେଉଁ ଚାଷୀଙ୍କ ଧାନକଟା ହୋଇନି ତାଙ୍କ ନାମରେ ଟୋକନ ପହଞ୍ଚିଛି । ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ।
ଟୋକନ ବ୍ୟବସ୍ଥାକୁ ବିରୋଧ କରି ବରଗଡ ସମେତ ସମ୍ବଲପୁର, ବଲାଙ୍ଗୀର, ସୋନପୁର ଓ ବରଗଡ ଆଦି ଜିଲ୍ଲାର ଚାଷୀମାନେ ଏକତ୍ରିତ ହୋଇ ହୋଇ ଏକ ବୈଠକ କରିଛନ୍ତି | ଯଦି ଆସନ୍ତାକାଲି ଦିନ ୧୨ ଟା ସୁଦ୍ଧା ସରକାର ଏହି ଟୋକନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ ନ କରନ୍ତି ତେବେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ଟୋକନ ନ ଥିବାରୁ ଚାଷୀଙ୍କ ଧାନ ବିକ୍ରିହୋଇପାରୁ ନାହିଁ । ତେଣୁ ଚାଷୀମାନେ ନିଜ ଧାନ ବିକ୍ରି କରିବେ ନା ରବିଋତୁ ପାଇଁ ଚାଷ କରିବେ ବୋଲି ପ୍ରଶ୍ନ କରିଛନ୍ତି ବି ପାରର ଚୌଧୁରୀ । ସେହିପରି ଚାଷୀମାନେ ଟୋକନ ବ୍ୟବସ୍ଥାକୁ ଗ୍ରହଣ କରିବା ଦ୍ବାରା ଧାନକ୍ରୟ ଶୃଙ୍ଖଳିତ ହୋଇପାରିବ ବୋଲି ଗୋଡଭଗା ମାର୍କେଟର ମଣ୍ଡି ଇନଚାର୍ଜ ପ୍ରକାଶ କରିଛନ୍ତି । ସେହିପରି ସରକାର ବ୍ୟବସ୍ଥାକୁ ଉଚ୍ଛେଦ ନ କଲେ ସଙ୍ଗଠନ ପକ୍ଷରୁ ସାରା ପଶ୍ଚିମ ଓଡିଶାରେ ଆନ୍ଦୋଳନ କରାଯିବ ବୋଲି ପଶ୍ଚିମ ଓଡିଶା କୃଷକ ସଙ୍ଗଠନର ପ୍ରବକ୍ତା ସରୋଜ ମହାନ୍ତି ଚେତାବନୀ ଦେଇଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ